କିବ୍: କିବ୍କୁ ଅସ୍ତ୍ରଶସ୍ତ୍ର ଯୋଗାଣର କେନ୍ଦ୍ର ତଥା ୟୁକ୍ରେନର ସୀମା ନିକଟରେ ଥିବା ପୋଲାଣ୍ଡର ଦକ୍ଷିଣପୂର୍ବ ସହର ରେସ୍ଜୋରେ ଲିଜିଓନେୟାର୍ସ ରୋଗରେ ୭ ଜଣଙ୍କ ମୃତ୍ୟୁ ଘଟିଛି। ପୋଲାଣ୍ଡର ଆଭ୍ୟନ୍ତରୀଣ ନିରାପତ୍ତା ଏଜେନ୍ସି (ଏବିଡବ୍ଲ୍ୟୁ) ଏହା ଉପରେ ଅନୁସନ୍ଧାନ କରୁଛି ବୋଲି ଶୁକ୍ରବାର ଜଣେ ମୁଖପାତ୍ର କହିଛନ୍ତି। ୱାର୍ସ ସୁରକ୍ଷା ସେବା ମୁଖପାତ୍ର ଷ୍ଟାନିସ୍ଲ ଜାରିନ୍ ପୋଲାଣ୍ଡ ଗଣମାଧ୍ୟମକୁ କହିଛନ୍ତି, ଆମେ ଦେଖୁଛୁ ଯେ ରୁଷ୍ ଏହି ଅବସରରେ ଆତଙ୍କ ସୃଷ୍ଟି କରିବାକୁ ଚେଷ୍ଟା କରୁଛି ଏବଂ କ’ଣ ଘଟୁଛି ତାହା ଉପରେ ନଜର ରଖିଛି। ୟୁକ୍ରେନ ସୀମାରେ ଥିବା ରେସ୍ଜୋ ସହରଠାରୁ ଆରମ୍ଭ କରି ପରଜେମିସ୍ଲ ସହର ପର୍ଯ୍ୟନ୍ତ ଏହି ଅଞ୍ଚଳରେ ୧୧୩ଟି ସଂକ୍ରମଣ ମାମଲା ପଞ୍ଜୀକୃତ ହୋଇଛି। ସେଥି ମଧ୍ୟରୁ ୭ ଜଣ ରୋଗୀଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ବୟସ ୬୪ରୁ ୯୫ ବର୍ଷ ମଧ୍ୟରେ ଏବଂ ସେମାନେ କର୍କଟ ଭଳି ଅନ୍ୟାନ୍ୟ ରୋଗରେ ମଧ୍ୟ ପୀଡ଼ିତ ଥିଲେ।
ଆଞ୍ଚଳିକ ସରକାରଙ୍କ ମୁଖ୍ୟ ଇୱା ଲେନିଆର୍ଟ କହିଛନ୍ତି ଯେ, ଏହି ସଂକ୍ରମଣ ସମ୍ଭବତଃ ଜଳ ଯୋଗାଣ ମାଧ୍ୟମରେ ସୃଷ୍ଟି ହୋଇଛି। ପରୀକ୍ଷାଗାରକୁ ନମୁନା ପଠାଯାଇଛି, ସୋମବାର ପ୍ରଥମ ରିପୋର୍ଟ ଆସିବ ବୋଲି ଆଶା କରାଯାଉଛି ଏବଂ ସ୍ଥିତି ନିୟନ୍ତ୍ରଣରେ ରହିଛି ବୋଲି ସେ କହିଛନ୍ତି। ୟୁକ୍ରେନ ସୀମାଠାରୁ ପ୍ରାୟ ୧୦୦ କିଲୋମିଟର ଦୂର ଦକ୍ଷିଣପୂର୍ବ ପୋଲାଣ୍ଡରେ ଅବସ୍ଥିତ ରେସ୍ଜୋ ସହର ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର, ଗୋଳାବାରୁଦ ଓ ଉପକରଣ ଯୋଗାଇବା ପାଇଁ ଆମେରିକା ଓ ନାଟୋ ପ୍ରୟାସର କେନ୍ଦ୍ର ପାଲଟିଛି। ସହର ନିକଟରେ ଅନେକ ଆମେରିକୀୟ ସୈନିକ ମୁତୟନ ଅଛନ୍ତି। ଲିଜିଓନେୟାର୍ସ ନାମକ ଏହି ରୋଗ ଜଳବାହିତ ବୀଜାଣୁ ଦ୍ୱାରା ହେଉଥିବା ଏକ ପ୍ରକାର ନିମୋନିଆ। ସାଧାରଣତଃ ପୂର୍ବରୁ ଫୁସଫୁସ ଜନିତ ରୋଗରେ ପୀଡ଼ିତ ବ୍ୟକ୍ତିଙ୍କଠାରେ ଏହି ସଂକ୍ରମଣଜନିତ ମୃତ୍ୟୁ ହାର ୧୦ ପ୍ରତିଶତ ପର୍ଯ୍ୟନ୍ତ ରହିଥାଏ।