ସୀମାରେ ସେନା କାର୍ଯ୍ୟାନୁଷ୍ଠାନ: ଶତାଧିକ ମ୍ୟାନ୍‌ମାର ନାଗରିକ ମିଜୋରାମ ପଳାଇଛନ୍ତି

ନୂଆଦିଲ୍ଲୀ: ମିଜୋରାମ ଓ ମ୍ୟାନ୍‌ମାର ଭିତରେ ୫୧୦ କିମି ସୀମାନ୍ତ ରହିଛି। ସୀମାରେ ସେନା କାର୍ଯ୍ୟାନୁଷ୍ଠାନ ପରେ ଶତାଧିକ ମ୍ୟାନ୍‌ମାର ନାଗରିକ ଗତ କିଛିଦିନ ଭିତରେ ମିଜୋରାମର ଦୁଇଟି ଜିଲ୍ଲାରେ ପ୍ରବେଶ କରିଛନ୍ତି। ମିଜୋରାମ ଗୃହମନ୍ତ୍ରୀ ଲାଲଚାମଲିଆନା କହିଛନ୍ତି ଯେ, ଶତାଧିକ ମ୍ୟାନ୍‌ମାର ନାଗରିକ ମିଜୋରାମରେ ପ୍ରବେଶ କରିଥିବା ସେ ଶୁଣିଛନ୍ତି। କିନ୍ତୁ ସେ ବର୍ତ୍ତମାନ ସଂଗରୋଧରେ ଥିବାରୁ ପ୍ରକୃତ ସଂଖ୍ୟା କହିପାରିବେ ନାହିଁ।

ରିପୋର୍ଟ ଅନୁସାରେ, ମ୍ୟାନ୍‌ମାରରେ ସାମରିକ ଶାସନକୁ ବିରୋଧ କରୁଥିବା ସଶସ୍ତ୍ର ସାଧାରଣ ନାଗରିକଙ୍କ ସହ ପଡ଼ୋଶୀ ଦେଶର ସେନା ମଧ୍ୟରେ ମିଜୋରାମ ସୀମା ନିକଟରେ ଗତ କିଛିଦିନ ହେଲା ଲଢ଼େଇ ଚାଲିଛି। ସେନାର ଗୁଳିମାଡ଼ରୁ ନିଜକୁ ବଞ୍ଚାଇବା ପାଇଁ ମ୍ୟାନ୍‌ମାରର ଅନେକ ଶରଣାର୍ଥୀ ମିଜୋରାମରେ ପ୍ରବେଶ କରିଥିବା କୁହାଯାଉଛି। ଗତ ମାର୍ଚ୍ଚମାସରୁ ବିଶେଷତଃ ଭାରତର ସୀମା ନିକଟରେ ବାସ କରୁଥିବା ହଜାର ହଜାର ମ୍ୟାନ୍‌ମାର ନାଗରିକ ମିଜୋରାମରେ ପ୍ରବେଶ କରିଛନ୍ତି। ସରକାରୀ ହିସାବ ଅନୁସାରେ ପ୍ରାୟ ୧୦,୦୦୦ରୁ ଊର୍ଦ୍ଧ୍ବ ଶରଣାର୍ଥୀ ବର୍ତ୍ତମାନ ରାଜ୍ୟର ଉତ୍ତରପୂର୍ବାଞ୍ଚଳରେ ବାସ କରୁଛନ୍ତି। ଏବେ ସୀମାରେ ଲଢ଼େଇ ଚାଲିଥିବାରୁ ପୁଣି ଶତାଧିକ ନୂଆ ଶରଣାର୍ଥୀ ମିଜୋରାମରେ ଆଶ୍ରୟ ନେଇଥିବା କୁହାଯାଉଛି। ଏହି ଲୋକମାନେ ଚାମ୍ଫାଇ ଓ ନାଠିଆଲ ଜିଲ୍ଲାରେ ଆଶ୍ରୟ ନେଇଛନ୍ତି। ସୀମା ପରିସ୍ଥିତି ସୁଧୁରିଲେ ସେମାନେ ପୁଣି ନିଜ ଦେଶକୁ ଫେରିଯିବେ ବୋଲି ମିଜୋରାମ ଚିଫ୍ ସେକ୍ରେଟାରୀ ଲାଲନୁନମାୱିଆ ଚୁଆଉଙ୍ଗୋ କହିଛନ୍ତି।

ସମ୍ବନ୍ଧିତ ଖବର