ତ୍ବରିତ ପ୍ରତ୍ୟାକ୍ରମଣ ପାଇଁ ଅରୁଣାଚଳରେ ସ୍ଥଳ ଓ ବାୟୁସେନାର ଅଭ୍ୟାସ

ନୂଆଦିଲ୍ଲୀ : ବାସ୍ତବ ନିୟନ୍ତ୍ରଣ ରେଖା (ଏଲ୍‌ଏସି) ଧାରେ ଧାରେ ଚୀନ୍ ସହ ଉତ୍ତେଜନା ଲାଗି ରହିଥିବାରୁ ଭାରତ ସମ୍ଭାବ୍ୟ ପରିସ୍ଥିତି ପାଇଁ ପ୍ରସ୍ତୁତି କରୁଛି। ଚୀନ୍ ଯଦି ହଠାତ୍ ଆକ୍ରମଣ କରିଦିଏ, ତେବେ ତ୍ବରିତ ବେଗରେ କିପରି ତା’ର ଜବାବ ଦିଆଯାଇପାରିବ ସେଥିପାଇଁ ଅରୁଣାଚଳ ପ୍ରଦେଶରେ ଚୀନ୍ ସୀମା ନିକଟରେ ଭାରତୀୟ ସ୍ଥଳସେନା ଓ ବାୟୁସେନା ପକ୍ଷରୁ ମିଳିତ ଅଭ୍ୟାସ କରାଯାଇଛି। ଏହା ଭାରତର ସମ୍ଭାବ୍ୟ ପୂର୍ଣ୍ଣାଙ୍ଗ ଯୁଦ୍ଧ ପ୍ରସ୍ତୁତିର ଏକ ଅଂଶ।

ଭାରତୀୟ ସ୍ଥଳସେନା ଓ ବାୟୁସେନାର ଏହି ଯୁଦ୍ଧାଭ୍ୟାସର ନାମ ଦିଆଯାଇଛି ‘ବାୟୁ ପ୍ରହାର’। ଦରକାର ପଡ଼ିଲେ ସ୍ଥଳସେନା ଓ ବାୟୁସେନା ପରସ୍ପର ସହ ସମନ୍ବୟ ରଖି କିପରି ତତ୍କାଳ ପ୍ରତ୍ୟାକ୍ରମଣ କରିପାରିବେ ସେ ନେଇ ‘ବାୟୁ ପ୍ରହାର’ର ପରିକଳ୍ପନା କରାଯାଇଛି। ଅରୁଣାଚଳପ୍ରଦେଶର ଏଲ୍‌ଏସି ନିକଟରେ ଉଚ୍ଚ ପାହାଡ଼ଜଙ୍ଗଲମୟ ଭୂମିରୁ କରାଯାଉଥିବା ଏହି ଅଭ୍ୟାସରେ ସ୍ବତନ୍ତ୍ର ସେନା ସାମିଲ ରହିଛି। ଯେକୌଣସି ପରିସ୍ଥିତିରେ ସେନାର ସମସ୍ତ ବିଭାଗ ପରସ୍ପର ସହ ସମନ୍ବୟ ରକ୍ଷା କରି କିପରି ଆହ୍ବାନ ଆସିବା ମାତ୍ରେ ତଡ଼ିତ୍ ବେଗରେ କ୍ରିୟାଶୀଳ ହୋଇପାରିବେ ସେଥିପାଇଁ ଏହି ୯୬ ଘଣ୍ଟାର ଅଭ୍ୟାସ କରାଯାଇଥିଲା।

ସମ୍ବନ୍ଧିତ ଖବର