ନୂଆଦିଲ୍ଲୀ : ବାରମ୍ବାର ଆଲୋଚନା ସତ୍ତ୍ବେ ଲଦାଖରୁ ଚୀନ ସେନା ହଟୁନଥିବାରୁ ଭାରତ ପକ୍ଷରୁ ନିଜ ସେନାକୁ ବିଭିନ୍ନ ପ୍ରକାରର ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ କରାଯାଉଛି । ମଙ୍ଗଳବାରଦିନ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଭାରତୀୟ ସେନାକୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ବିଭିନ୍ନ ପ୍ରକାରର ପ୍ରକାରର ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଓ ଉପକରଣ ହସ୍ତାନ୍ତର କରିଛନ୍ତି ।
ଏସବୁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଓ ଉପକରଣ ମଧ୍ୟରେ ରହିଛି ଆଣ୍ଟି-ପର୍ସୋନେଲ ଲାଣ୍ଡମାଇନ ‘ନିପୁନ’, ଲଢୁଆ ବୋଟ୍ ଲାଣ୍ଡିଂ କ୍ରାଫ୍ଟ ଆସଲ୍ଟ (ଏଲସିଏ), ଏକ ପ୍ରକାରର ଡ୍ରୋନ ସିଷ୍ଟମ, ଇନଫ୍ରାଣ୍ଟ୍ରି କମ୍ବାଟ ଭେହିକ୍ଲ ଆଇପିଏମଭି ଇତ୍ୟାଦି ।
ପେଙ୍ଗାଙ୍ଗ ହ୍ରଦରେ ମୁତୟନ ପାଇଁ ଏଲସିଏ ବୋଟକୁ ସ୍ବତନ୍ତ୍ର ଭାବେ ତିଆରି କରାଯାଇଛି । ଏଥିରେ ଗୋଟିଏ ସମୟରେ ୩୫ ଜଣ ସଶସ୍ତ୍ର ଯବାନ ନିଜର ଅସ୍ତ୍ରଶସ୍ତ୍ର ସହ ବସିପାରିବେ । ଏହା ଦ୍ରୁତ ଗତିରେ ଗତି କରିପାରିବ । ଫଳରେ ଚୀନ ସେନାର ମୁକାବିଲା ପାଇଁ ଅଳ୍ପ ସମୟରେ ସେନା ପହଞ୍ଚିପାରିବ । ଏହାକୁ ଗୋଆର ଏକ କମ୍ପାନି ଆକ୍ବାରିଅସ ସିପୟାର୍ଡସ ଲିମିଟେଡ ପକ୍ଷରୁ ନିର୍ମାଣ କରାଯାଇଛି ।
ଟାଟା ଆଡଭାନ୍ସଡ ସିଷ୍ଟମ ପକ୍ଷରୁ ନିର୍ମାଣ କରାଯାଇଥିବା ଇନଫାଣ୍ଟ୍ରି ପ୍ରୋଟେକ୍ଟେଡ ମୋବିଲିଟି ଭେହିକ୍ଲ (ଆଇପିଏମଭି) ମାଧ୍ୟମରେ ହିମାଳୟର ଦୂର୍ଗମ ଅଂଚଳରେ ସୁରକ୍ଷିତ ଭାବେ ସେନାର ଯବାନମାନେ ଯାଇପାରିବେ ।
ଆହୁରି ମଧ୍ୟ ସିଆଚେନ ପରି ଅଂଚଳର ଆବଶ୍ୟକତା ମେଣ୍ଟାଇବାକୁ ଏକ ସ୍ବତନ୍ତ୍ର ପ୍ରକାରର ସୌରଶକ୍ତି ପ୍ରକଳ୍ପ ନିର୍ମାଣ କରାଯାଇଛି ।