ନୂଆଦିଲ୍ଲୀ: କଶ୍ମୀର ପ୍ରସଙ୍ଗରେ ବିଭିନ୍ନ ପକ୍ଷ ସହିତ ଆଲୋଚନା ପାଇଁ ମୋଦି ସରକାର ପଦକ୍ଷେପ ଆରମ୍ଭ କରିଛନ୍ତି ଏବଂ ଏଥିପାଇଁ ପୂର୍ବ ଆଇବି ମୁଖ୍ୟ ଦୀନେଶ୍ୱର ଶର୍ମାଙ୍କୁ ନିଯୁକ୍ତି ଦିଆଯାଇଛି । ଏ ବାବଦରେ ସେନାଧ୍ୟକ୍ଷ ବିପିନ ରାଓ୍ଵତ କହିଛନ୍ତି ଯେ ତାଙ୍କୁ ଅଧିକ ସମୟ ଦିଆଯିବା ଆବଶ୍ୟକ। ତେବେ କଥାବାର୍ତ୍ତା ଆଗକୁ ବଢ଼ାଇବା ପାଇଁ ସରକାରଙ୍କ ଏହି ପଦକ୍ଷେପ ସେନାର ଆତଙ୍କବାଦୀ ଦମନ ଅଭିଯାନ ଉପରେ କିଛି ପ୍ରଭାବ ପକାଇବ ନାହିଁ ଏବଂ ଏହା ଜାରି ରହିବ ବୋଲି ସେ କହିଛନ୍ତି। ରାଓ୍ଵତ କହିଛନ୍ତି ବିଗତ କିଛି ମାସ ମଧ୍ୟରେ ଘାଟିର ପରିସ୍ଥିତିରେ ଅନେକ ସୁଧାର ଆସିଛି । ଅନୁପ୍ରବେଶକାରୀ ଆତଙ୍କବାଦୀଙ୍କୁ ସୀମାରେ ନିପାତ କରାଯାଉଛି । ଆଭ୍ୟନ୍ତରୀଣ ସ୍ଥିତିରେ ମଧ୍ୟ ଯଥେଷ୍ଟ ପରିବର୍ତ୍ତନ ହୋଇଛି ଏବଂ ସୁରକ୍ଷା ବାହିନୀ ସଫଳ ରଣନୀତିର ସହ ଆଗକୁ ବଢ଼ୁଛି । ଆଜିଠାରୁ ସେନା, ସିଆରପିଏଫ୍‌ ଏବଂ ପୁଲିସର ବଡ଼ ଧରଣର ତଲାସି ଅଭିଯାନ ସୋପିଆନ ଜିଲ୍ଲାର ୧୩ଟି ଗ୍ରାମରେ ଆରମ୍ଭ ହୋଇଥିବା ବେଳେ ଆତଙ୍କବାଦୀ ଦମନ ଅଭିଯାନ ଆଗାମୀ ଦିନରେ ନିର୍ଣ୍ଣାୟକ ପର୍ଯ୍ୟାୟରେ ପହଞ୍ଚିବ ବୋଲି ସେନାଧ୍ୟକ୍ଷ କହିଛନ୍ତି।

Advertisment

କଶ୍ମୀରରେ ଆତଙ୍କବାଦୀ ଦମନ ଅଭିଯାନକୁ ଅଧିକ ଫଳପ୍ରଦ କରିବା ପାଇଁ ଶକ୍ତିଶାଳୀ ଗୁଇନ୍ଦା ବ୍ୟବସ୍ଥା ଉପରେ ସେନାଧ୍ୟକ୍ଷ ଗୁରୁତ୍ୱାରୋପ କରିଛନ୍ତି। ଉରିରେ ସେନା ଶିବିର ଉପରେ ଆତଙ୍କବାଦୀମାନେ ଯେଭଳି ବଡ଼ ଧରଣର ଆକ୍ରମଣ କରିଥିଲେ, ଭବିଷ୍ୟତରେ ସେଭଳି ଆକ୍ରମଣର ପୁନରାବୃତ୍ତି ହେବା ଆଶଙ୍କା ରହିଛି ଏବଂ ଏଥିପାଇଁ ଯଥେଷ୍ଟ ସତର୍କ ରହିବାକୁ ହେବ ବୋଲି ରାଓ୍ଵତ କହିଛନ୍ତି।