ମେଜର ଗୋଗୋଇ ଦୋଷୀ ସାବ୍ୟସ୍ତ ହେଲେ ତାଙ୍କ ବିରୋଧରେ କଠୋରତମ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ: ସେନାମୁଖ୍ୟ ବିପିନ୍‌ ରାଓ୍ଵତ୍‌

ନୂଆଦିଲ୍ଲୀ: ଜନୈକା ଯୁବତୀଙ୍କ ସହ ଶ୍ରୀନଗରର ଏକ ହୋଟେଲରେ ରାତି ବିତାଇବାକୁ ଆସି ଜମ୍ମୁ- କଶ୍ମୀର ପୁଲିସ୍‌ ହାତରେ ଧରା ପଡ଼ିଥିବା ଭାରତୀୟ ସେନାର ମେଜର ଲିତୁଲ ଗୋଗୋଇଙ୍କ ସଂପର୍କରେ ସେନା ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ଯଦି ସେ ଏହି ଘଟଣାରେ ଦୋଷୀ ସାବ୍ୟସ୍ତ ହୁଅନ୍ତି ବା ତାଙ୍କର କୌଣସି ପ୍ରକାରର ସଂପୃକ୍ତି ପ୍ରମାଣିତ ହୁଏ, ତେବେ ତାଙ୍କ ବିରୋଧରେ କଠୋରରୁ କଠୋରତମ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଭାରତୀୟ ସେନା ମୁଖ୍ୟ ବିପିନ୍‌ ରାଓ୍ଵତ୍‌। ଖାଲି କଠୋରରୁ କଠୋରତମ କାର୍ଯ୍ୟାନୁଷ୍ଠାନ ନୁହେଁ; ଏପରି ଏକ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଯାହା ଅନ୍ୟମାନଙ୍କ ପାଇଁ ମଧ୍ୟ କାଳ କାଳକୁ ଏକ ଦୃଷ୍ଟାନ୍ତ ହୋଇ ରହିଯିବ ବୋଲି କହିଛନ୍ତି ସେନାମୁଖ୍ୟ ରାଓ୍ଵତ୍‌। ଭାରତୀୟ ସେନାରେ ସେ ଯେଉଁ ର‍୍ୟାଙ୍କ୍‌ର ବି ହେଉନା କହିଁକି, ସେନାକୁ କଳଙ୍କିତ କଲାପରି ଯଦି କିଛି କାର୍ଯ୍ୟକରେ, ତେବେ ତା’ ବିରୋଧରେ ମଧ୍ୟ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେନା କୁଣ୍ଠାବୋଧ କରିବ ନାହିଁ ବୋଲି ଏହି ଅବସରରେ ସତର୍କ କରାଇ ଦେଇଛନ୍ତି ସେନାମୁଖ୍ୟ ଜେନେରାଲ ରାଓ୍ଵତ୍‌।


ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ଭାରତୀୟ ସେନାର ମେଜର ଲିତୁଲ ଗୋଗୋଇ ଗତ ମଙ୍ଗଳବାର ଶ୍ରୀନଗରର ହୋଟେଲ ଗ୍ରାଣ୍ଡ ମମତାକୁ ଜନୈକା ଯୁବତୀଙ୍କୁ ଧରି ତାଙ୍କ ସହ ହୋଟେଲ ରୁମ୍‌ରେ ରାତି ବିତାଇବାକୁ ଯାଇଥିଲେ। ତେବେ, କୌଣସି କାରଣକୁ ନେଇ ମେଜର ଗୋଗୋଇଙ୍କର ହୋଟେଲ କର୍ମଚାରୀଙ୍କ ସହ ବାକ୍‌ବିତଣ୍ଡା ହୋଇଥିଲା ଏବଂ କଥା ପୁଲିସ୍‌ ଥାନା ପର୍ଯ୍ୟନ୍ତ ଯାଇଥିଲା। ପରେ ଏକ ପୁଲିସ୍‌ ଦଳ ହୋଟେଲରେ ଯାଇ ପହଞ୍ଚି ସଂପୃକ୍ତା ମହିଳାଙ୍କ ସହ ମେଜର ଗୋଗୋଇ ଓ ତାଙ୍କ ଡ୍ରାଇଭରକୁ ଥାନାକୁ ଧରି ଆଣିଥିଲେ। ପରେ ପୁଲିସ୍‌ ସମସ୍ତଙ୍କର ବୟାନ ରେକର୍ଡ କରିବା ପରେ ପୁଲିସ୍‌ ମେଜର ଗୋଗୋଇଙ୍କୁ ସେନାକୁ ହସ୍ତାନ୍ତର କରିଥିଲା।

ପରେ ଜଣା ପଡ଼ିଥିଲା ଯେ ହୋଟେଲରୁ ଉଦ୍ଧାର ହୋଇଥିବା ସେନାର ମେଜର ଜଣକ ହେଉଛନ୍ତି, ସେଇ ଚର୍ଚ୍ଚିତ ମେଜର ଯିଏକି ବଡ଼ଗାମ୍‌ ଜିଲ୍ଲାରେ ପଥର ଫିଙ୍ଗାଳିଙ୍କ କବଳରୁ ନିଜକୁ ଓ ନିଜ ସାଥୀମାନଙ୍କୁ ବଞ୍ଚାଇବାକୁ ଯାଇ ମଣିଷ ଢ଼ାଲ ରୂପେ ତାଙ୍କ ଗାଡ଼ିର ବନେଟରେ ଜନୈକ ସ୍ଥାନୀୟ ଲୋକକୁ ବାନ୍ଧି ସଫଳତାର ସହ ସେମାନଙ୍କ କବଳରୁ ଖସି ଆସିବାରେ ସମର୍ଥ ହୋଇଥିଲେ। ଏହା ଏକ ସମ୍ବେଦନଶୀଳ ଓ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହୋଇଥିବା ଦୃଷ୍ଟିରୁ ସମଗ୍ର ଘଟଣା ଏକ ସ୍ପେଶାଲ ଇନ୍‌ଭେଷ୍ଟିଗେସନ୍‌ ଟିମ୍‌ (ଏସ୍‌ଆଇଟି) ଦ୍ୱାରା କରିବାକୁ ଜମ୍ମୁ- କଶ୍ମୀର ଆଇଜି ସ୍ୱୟଂ ପ୍ରକାଶ ପାଣି ନିର୍ଦ୍ଦେଶ ଦେବା ସହ ଏସ୍‌ଆଇଟିର ମୁଖ୍ୟ ଭାବେ ଶ୍ରୀନଗର (ଉତ୍ତର)ର ଏସ୍‌ପିଙ୍କୁ ନିଯୁକ୍ତ କରଥିଲେ।

ସମ୍ବନ୍ଧିତ ଖବର