ଜମ୍ମୁ-କଶ୍ମୀର: ଜମ୍ମୁ-କଶ୍ମୀରରେ ଢେଲାମାଡ଼ରେ ଶୁକ୍ରବାର ଜଣେ ଯବାନ ନିହତ ହେବା ପରେ ସେନା ମୁଖ୍ୟ ଜେନେରାଲ୍‌ ବିପିନ୍‌ ରାଓ୍ଵତ ଶନିବାର ଚେତାବନୀ ଦେଇଛନ୍ତି। ଢେଲାମାଡ଼କାରୀଙ୍କ ବିରୋଧରେ ସୁରକ୍ଷା ବଳ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବ ବୋଲି ସେ ମତ ରଖିଛନ୍ତି। ବିକ୍ଷୋଭକାରୀମାନେ ଏଣିକି ସେନା କର୍ମଚାରୀଙ୍କୁ ଟାର୍ଗେଟ କରିବା ବନ୍ଦ କରନ୍ତୁ ବୋଲି ସେ ଗଣମାଧ୍ୟମ ଜରିଆରେ ପ୍ରକାଶ କରିଛନ୍ତି।

Advertisment

ଜମ୍ମୁ-କଶ୍ମୀର ଅନନ୍ତନାଗଠାରେ ଢେଲାମାଡ଼ରେ ଶୁକ୍ରବାର ୨୨ ବର୍ଷିଅ ଯବାନ ରାଜେନ୍ଦ୍ର ସିଂହ ନିହତ ହେବା ପରେ ସେନା ମୁଖ୍ୟ ଏପରି କହିଛନ୍ତି। ଜମ୍ମୁ-କଶ୍ମୀରର ଅନନ୍ତନାଗ ବାଇପାସ୍‌ର ତ୍ରି-ଜଙ୍କ୍‌ସନ୍‌ରେ ସେନା ଗାଡ଼ି ଉପରେ ପଥରମାଡ଼ ହୋଇଥିଲା। ବର୍ଡର ରୋଡ୍‌ ଅର୍ଗାନାଇଜେସନ୍‌ର କର୍ମଚାରୀଙ୍କୁ ସୁରକ୍ଷା ପ୍ରଦାନ କରୁଥିବା କୁଇକ୍‌ ରିଆକ୍ସନ ଟିମ୍‌(କ୍ୟୁଆର୍‌ଟି)ରେ ସିପାହୀ ରାଜେନ୍ଦ୍ର ସିଂହ ସାମିଲ ଥିଲେ। ଆହତ ହେବା ପରେ ରାଜେନ୍ଦ୍ରଙ୍କୁ ତୁରନ୍ତ ସେନା ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା ଓ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।

ପଥରମାଡ଼ ଘଟଣାରେ ସେନା ମୁଖ୍ୟ ପାକିସ୍ତାନ ଉପରେ ଅଭିଯୋଗ ଆଣିଛନ୍ତି। ଜମ୍ମୁ-କଶ୍ମୀରରେ ଆତଙ୍କ ଖେଳାଇବା ପାଇଁ ପାକିସ୍ତାନୀ ଆତଙ୍କବାଦୀଙ୍କ ଉପଯୋଗ କରୁଛି। ମାତ୍ର  ଏଥିରେ ସଫଳତା ପାଇବ ନାହିଁ ବୋଲି ରାଓ୍ଵତ କହିଛନ୍ତି। ଉଲ୍ଲେଖଯୋଗ୍ୟ, ଗତ ସେପ୍ଟେମ୍ବରରେ ରାଓ୍ଵତ କହିଥିଲେ କି ଆଉ ଏକ ସର୍ଜିକାଲ୍‌ ଷ୍ଟାଇକ୍‌ର ଆବଶ୍ୟକତା ରହିଛି।