ସିଏଏ ହିଂସା : ସେନାଧ୍ୟକ୍ଷଙ୍କ ବୟାନରୁ ଝଡ଼

ହିଂସାକୁ ପ୍ରୋତ୍ସାହନ ଦେବା ନେତୃତ୍ୱ ନୁହେଁ: ଜେନେରାଲ ରାୱତ, ବିରୋଧୀ ଦଳଙ୍କ ସମ‌ାଲୋଚନା: ରାୱତ ନିଜ ସୀମାରେ ରୁହନ୍ତୁ

ନୂଆଦିଲ୍ଲୀ : ନାଗରିକତା‌ ସଂଶୋଧନ ଆଇନ(ସିଏଏ)କୁ ବିରୋଧ କରି ଆନ୍ଦୋଳନ ଓ ହିଂସାର ନେତୃତ୍ବ ନେଇଥିବା ଲୋକଙ୍କୁ ସେନାମୁଖ୍ୟ ଜେନେରାଲ ବିପିନ ରାୱତଙ୍କ ସମାଲୋଚନା ନେଇ ରାଜନୈତିକ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଜେନେରାଲ ରାୱତ ରାଜନୈତିକ ବୟାନବାଜିରୁ ଦୂରେଇ ରହି ଭାରତୀୟ ସେନାର ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖନ୍ତୁ ବୋଲି ବିରୋଧୀ ଦଳର ନେତାମାନେ ପରାମର୍ଶ ଦେଇଛନ୍ତି। ସେହିଭଳି ସେନାର ଜଣେ ପୂର୍ବତନ ଜେନେରାଲ ମଧ୍ୟ ରାୱତଙ୍କୁ ତାଙ୍କର ଟିପ୍ପଣୀ ସଂପର୍କରେ ସମାଲୋଚନା କରିଛନ୍ତି। ତେବେ ସେନାବାହିନୀ ପକ୍ଷରୁ ସଫେଇ ଦେଇ କୁହାଯାଇଛି ଯେ ଜେନେରାଲ ରାୱତଙ୍କ ମନ୍ତବ୍ୟ ରାଜନୈତିକ ନଥିଲ‌ା। ସେ କେବଳ ଦେଶର ଆଇନ ଶୃଙ୍ଖଳା ଓ ନିରାପତ୍ତା ସଂପର୍କରେ କହିଛନ୍ତି। ସିଏଏ ସଂପର୍କରେ କୌଣସି ମନ୍ତବ୍ୟ ଦେଇ ନାହାନ୍ତି।

ସୂଚନାଯୋଗ୍ୟ ଯେ ଦିଲ୍ଲୀର ଏକ କାର୍ଯ୍ୟକ୍ରମରେ ରାୱତ ଆଜି କହିଥିଲେ ଯେ ଯେଉଁମାନେ ଜନତାଙ୍କୁ ଭୁଲ୍‌ ବାଟରେ ନେଉଛନ୍ତି ଏବଂ ହିଂସାକୁ ପ୍ରୋତ୍ସାହନ ଦେଉଛନ୍ତି ସେମାନେ ନେତା ନୁହନ୍ତି କି ଏହାକୁ ନେତୃତ୍ବ ବୋଲି କୁହାଯାଇ ପାରିବନାହିଁ। ଯେଉଁମାନେ ହିଂସା ଓ ପୋଡ଼ାଜଳା ପାଇଁ ଲୋକଙ୍କୁ ଏକଜୁଟ କରୁଛନ୍ତି ସେମାନଙ୍କୁ ନେତା‌ ବୋଲି କିଭଳି କୁହାଯିବ? ଯେଉଁମାନେ ଲୋକଙ୍କୁ ଠିକ୍‌ ବାଟରେ ନିଅନ୍ତି ଏବଂ ଠିକ୍‌ ପରାମର୍ଶ ଦିଅନ୍ତି ସେମାନେ ହିଁ ନେତା। ଏବେ ଦେଶରେ ବିଭିନ୍ନ କଲେଜ ଏବଂ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀମାନେ ହିଂସାତ୍ମକ ଆନ୍ଦୋଳନର ନେତୃତ୍ବ ନେଉଥିବା ଦେଖିବାକୁ ମିଳିଛି। ସେମାନେ ସହରରେ ପୋଡ଼ାଜଳା ଓ ହିଂସା ପାଇଁ ଆଗଭର ହେଉଥିବାରୁ ଏହାକୁ ନେତୃତ୍ବ କୁହାଯିବ ନାହିଁ ‌ବୋଲି ସେନାମୁଖ୍ୟ କହିଛନ୍ତି।

ସେନାମୁଖ୍ୟଙ୍କ ଏହି ବୟାନକୁ ନେଇ ରାଜନୈତିକ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। କଂଗ୍ରେସ ସମେତ ବିଭିନ୍ନ ବିରୋଧୀ ଦଳ ନେତାମାନେ ରାୱତଙ୍କ ଏହି ଟିପ୍ପଣୀ ପାଇଁ ତାଙ୍କୁ ସମାଲୋଚନା କରିଛନ୍ତି। ସେନାମୁଖ୍ୟ ସିଏଏ ଆନ୍ଦୋଳନ ପ୍ରସଙ୍ଗରେ ମନ୍ତବ୍ୟ ରଖିବା ସମ୍ପୂର୍ଣ୍ଣ ଭାବେ ସାମ୍ବିଧ‌ାନିକ ଗଣତନ୍ତ୍ରର ବିରୁଦ୍ଧାଚରଣ କରୁଛି ବୋଲି କଂଗ୍ରେସ
ନେତାମାନେ କହିଛନ୍ତି। ଯଦି ସେନାମୁଖ୍ୟଙ୍କୁ ଆଜି ରାଜନୈତିକ ପ୍ରସଙ୍ଗରେ କହିବାକୁ ଅନୁମତି ମିଳୁଛି ତେବେ ଆସନ୍ତାକାଲି ବି ସେନା କ୍ଷମତା ଦଖଲ କରିପାରେ ବୋଲି କଂଗ୍ରେସ ମୁଖପାତ୍ର ବ୍ରିଜେଶ କଲପ୍ପା ଟ୍ବିଟ୍‌ କରି କହିଛନ୍ତି। ଏଆଇଏମ୍‌ଆଇଏମ୍‌ ମୁଖ୍ୟ ଅସଦୁଦ୍ଦିନ୍‌ ଅୱେସି କହିଛନ୍ତି ଯେ ଯିଏ କ୍ଷମତାରେ ଅଛନ୍ତି, ସେ କ୍ଷମତାର ପରିସର ସମ୍ପର୍କରେ ସଚେତନ ହେବା ଏବଂ ଜନଭାବନାକୁ ବୁଝିବା ନିତାନ୍ତ ଜରୁରୀ । ଏହା ନହେଲେ ଅନର୍ଥ ଘଟିବ। କଂଗ୍ରେସ ନେତା ଦିଗବିଜୟ ସିଂହ ମଧ୍ୟ ଟ୍ବିଟ୍‌ କରି ସେନାମୁଖ୍ୟ ରାୱତଙ୍କୁ ସମାଲୋଚନା କରିଛନ୍ତି। ଦିଗବିଜୟ କହିଛନ୍ତି- ମୁଁ ଆପଣଙ୍କ କଥାରେ ରାଜି ଜେନେରାଲ ସା‌ହେବ। ଯେଉଁମାନେ ହିଂସା ଏବଂ ପୋଡ଼ାଜଳା ପାଇଁ ନେତୃତ୍ବ ନେଉଛନ୍ତି ସେମାନଙ୍କୁ ନେତା କୁହାଯିବ ନାହିଁ। କିନ୍ତୁ ଯେଉଁମାନେ ସେମାନଙ୍କ ଅନୁଗାମୀଙ୍କୁ ସାମ୍ପ୍ରଦାୟିକ ହିଂସାର ନରସଂହାରରେ ସାମିଲ କରୁଛନ୍ତି ସେମାନଙ୍କୁ ବି ନେତା କୁହାଯିବ ନାହିଁ।

ସେହିଭଳି ପୂର୍ବତନ ନୌସେନା ମୁଖ୍ୟ ଆଡମିରାଲ ଏଲ. ରାମଦାସ ମଧ୍ୟ ରାୱତଙ୍କର ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ ପରଂପରା ଅନୁଯାୟୀ ସେନାଧ୍ୟକ୍ଷ ଦେଶର ସେବା କରିବା ଉଚିତ, କୌଣସି ରାଜନୈତିକ ଦଳର ନୁହେଁ। ସେନାଧ୍ୟକ୍ଷ କୌଣସି ପ୍ରକାର ରାଜନୈତିକ ବୟାନ ଦେବା ଠିକ୍ ନୁହେଁ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର