ନୂଆଦିଲ୍ଲୀ: ୨୬ତମ କାର୍‌ଗିଲ୍‌ ବିଜୟ ଦିବସ ଅବସରରେ ଶନିବାର ସେନାମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ଘୋଷଣା କରିଛନ୍ତି ଯେ, ଭାରତୀୟ ସେନା ଏକ ‘ଅଲ୍‌-ଆର୍ମସ ବ୍ରିଗେଡ୍‌‌’ ଗଠନ କରିବାକୁ ଯାଉଛି ଯାହାକୁ ‘ରୁଦ୍ର’ ନାମରେ ପରିଚିତ କରାଯିବ। ଏଥିରେ ପଦାତିକ, ଯାନ୍ତ୍ରିକ ପଦାତିକ, ଆର୍ମୋର୍ଡ ୟୁନିଟ୍, ଆର୍ଟିଲେରି, ସ୍ପେସାଲ ଫୋର୍ସ ଓ ମାନବବିହୀନ ଆକାଶ ପ୍ରଣାଳୀ ଭଳି ଲଢୁଆ ଉପାଦାନକୁ ଏକତ୍ରିତ କରାଯାଇଛି। ସୀମାନ୍ତ ଅଞ୍ଚଳରେ ମୁତୟନ ହୋଇଥିବା ସେନାର ଦୁଇଟି ପଦାତିକ ବ୍ରିଗେଡ୍‌କୁ ରୁଦ୍ରରେ ପରିଣତ କରାଯାଇସାରିଛି, ଯାହାକୁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ଲଜିଷ୍ଟିକ୍ ସପୋର୍ଟ ଓ ଯୁଦ୍ଧ ସହାୟତା ମିଳିବ। ସେହିଭଳି ସୀମାରେ ଶତ୍ରୁପକ୍ଷକୁ ଦମନ କରିବା ପାଇଁ ଚତୁର ଓ ଘାତକ ସ୍ପେସାଲ ଫୋର୍ସ ୟୁନିଟ୍ ‘ଭୈରବ’ ଲାଇଟ୍ କମାଣ୍ଡୋ ବାଟାଲିୟନ ଗଠନ କରାଯାଇଛି ବୋଲି ସେନାମୁଖ୍ୟ କହିଛନ୍ତି।

Advertisment

ପ୍ରତ୍ୟେକ ପଦାତିକ ବାଟାଲିୟନରେ ଏବେ ଡ୍ରୋନ୍ ପ୍ଲାଟୁନ୍ ଥିବା ବେଳେ ଆର୍ଟିଲେରି ‘ଦିବ୍ୟାସ୍ତ୍ର ବ୍ୟାଟେରୀ’ ଏବଂ ‘ଲଏଟର ମ୍ୟୁନିସନ୍ ବ୍ୟାଟେରୀ’ ଜରିଆରେ ନିଜର ଆକ୍ରମଣ ଶକ୍ତିକୁ ବହୁଗୁଣିତ କରିଛି। ଆର୍ମି ଏୟାର୍ ଡିଫେନ୍ସକୁ ସ୍ୱଦେଶୀ କ୍ଷେପଣାସ୍ତ୍ର ବ୍ୟବସ୍ଥାରେ ସଜ୍ଜିତ କରାଯାଉଛି। ଏହାଦ୍ୱାରା ଆମର ଶକ୍ତି ବହୁଗୁଣିତ ହେବ ବୋଲି ସେ କହିଛନ୍ତି। ଜେନେରାଲ ଦ୍ୱିବେଦୀ କହିଛନ୍ତି ଯେ, ଭାରତର ଭୌଗୋଳିକ ସ୍ଥିତି ଓ ଏହାର ସୀମାରେ କ୍ରମାଗତ ପ୍ରତିକୂଳ ବାତାବରଣକୁ ଦୃଷ୍ଟିରେ ରଖି ଆର୍ମି ଏୟାର୍ ଡିଫେନ୍ସକୁ ସ୍ୱଦେଶୀ କ୍ଷେପଣାସ୍ତ୍ର ପ୍ରଣାଳୀ ଦ୍ୱାରା ଅତ୍ୟନ୍ତ ଦକ୍ଷ କରିବା ପାଇଁ ଆବଶ୍ୟକ ଅସ୍ତ୍ରଶସ୍ତ୍ର ଯୋଗାଇ ଦିଆଯାଉଛି। ଆମେ ସୀମାରେ ନୂତନ ସଡ଼କ ଓ ଭିତ୍ତିଭୂମି ବିକାଶ କରୁଛୁ।  ଏହି ଅବସରରେ ଜେନେରାଲ ଦ୍ୱିବେଦୀ ନିକଟରେ ହୋଇଥିବା ଅପରେସନ ସିନ୍ଦୂରରେ ଭାରତୀୟ ସେନାର ସଫଳତାକୁ ମଧ୍ୟ ମନେ ପକାଇଥିଲେ, ଯାହା ଏପ୍ରିଲ ୨୨ରେ ପହଲଗାମ ଆତଙ୍କବାଦୀ ଆକ୍ରମଣର ଜବାବରେ ପାକିସ୍ତାନୀ ଆତଙ୍କବାଦୀ ଭିତ୍ତିଭୂମିକୁ ଧ୍ୱଂସ କରିବା ପାଇଁ କରାଯାଇଥିଲା।