ଭାରତ-ଚୀନ ମଧ୍ୟରେ ଉତ୍ତେଜନା ବଢୁଛି, ଚଳିତ ସପ୍ତାହରେ ଲେହ, କଶ୍ମୀର ଗସ୍ତରେ ଯିବେ ସେନାମୁଖ୍ୟ

ନୂଆଦିଲ୍ଲୀ : ବାରମ୍ବାର ମିଲିଟାରୀ କମାଣ୍ଡରସ୍ତରୀୟ ଓ କୂଟନୈତିକ ସ୍ତରୀୟ କଥାବାର୍ତ୍ତା ସତ୍ତ୍ୱେ ଭାରତ ଓ ଚୀନ ମଧ୍ୟ ଦେଖାଦେଇଥିବା ଉତ୍ତେଜନା ଥମିବାର ନାଁ ଧରୁ ନାହିଁ । ଫଳରେ ଦୁଇ ଦେଶ ପ୍ରକୃତ ନିୟନ୍ତ୍ରଣ ରେଖା ନିକଟରେ ସୈନ୍ୟ ଠୁଳ କରିବାରେ ଲାଗିଛନ୍ତି । ଆଲୋଚନା ଚାଲିଥିବା ବେଳେ ଯେକୌଣସି ସମୟରେ ଧୋକା ଦେଇପାରେ ବୋଲି ଭାରତୀୟ ସେନା ଆଶଙ୍କା କରୁଛି । ତାହାକୁ ଦୃଷ୍ଟିରେ ରଖି ସେନା ଯୁଦ୍ଧ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି । ଏହି ପ୍ରସ୍ତୁତିର ସମୀକ୍ଷା କରିବାକୁ ସେନାଧ୍ୟକ୍ଷ ଜେନେରାଲ ମନୋଜ ମୁକୁନ୍ଦ ନାରାଓ୍ଵାଣେ ଚଳିତ ସପ୍ତାହରେ ଲେହ ଓ କଶ୍ମୀର ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି । ଭାରତ ପକ୍ଷରୁ ସୀମାରେ ଟ୍ୟାଙ୍କ , ଏୟାର ଡିଫେନ୍ସ ସିଷ୍ଟମ, ବୋଫର୍ସ ଆଦି ମୁତୟନ କରାଯାଇଛି ।

ଗତ ୧୯ ତାରିଖରେ ବାୟୁସେନା ମୁଖ୍ୟ ଏୟାର ମାର୍ସାଲ ଆରକେଏସ ଭାଦୁରିଆ ଶ୍ରୀନଗର ଓ ଲେହରେ ଥିବା ବାୟୁସେନା ଘାଟିଗୁଡ଼ିକୁ ପରିଦର୍ଶନ କରି ସ୍ଥିତିର ସମୀକ୍ଷା କରିଥିଲେ । ଭାରତୀୟ ବାୟୁସେନା ଯେକୌଣସି ପରିସ୍ଥିତିର ମୁକାବିଲା କରିବାକୁ ପ୍ରସ୍ତୁତ ବୋଲି ସେ କହିଥିଲେ ।
ଭାରତୀୟ ବାୟୁସେନାର ଲଢୁଆ ବିମାନଗୁଡ଼ିକୁ ଚୀନ ସୀମାରେ ଥିବା ଫରଓ୍ଵାର୍ଡ ବେସଗୁଡ଼ିକରେ ମୁତୟନ କରାଯାଇଛି । ମୁତୟନ କରାଯାଇଥିବା ଲଢୁଆ ବିମାନ ମଧ୍ୟରେ ରହିଛି ସୁଖୋଇ, ମିରେଜ-୨୦୦୦,ଜାଗୁଆର ଲଢୁଆ ବିମାନ । ଏହା ସହିତ ଆମେରିକାଠାରୁ କିଣାଯାଇଥିବା ଆପାଚେ ଲଢୁଆ ହେଲିକାପ୍ଟର କୁ ମଧ୍ୟ ମୁତୟନ କରାଯାଇଛି ।ସ୍ଥିତିର ଗୁରୁତ୍ୱକୁ ଉପଲବ୍ଧ କରି ସମଗ୍ର ଭାରତୀୟ ବାୟୁସୀମାରେ ସତର୍କତା ଜାରି କରାଯାଇଛି ।

ସମ୍ବନ୍ଧିତ ଖବର