ଆସନ୍ତା ୯ ତାରିଖରେ ସିଆଚେନ ଗସ୍ତରେ ଯିବେ ସେନାମୁଖ୍ୟ ନରଓ୍ଵାଣେ

ନୂଆଦିଲ୍ଲୀ : ନବନିଯୁକ୍ତ ସେନାମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରାଓ୍ଵାଣେ ଆସନ୍ତା ୯ ତାରିଖରେ ସିଆଚେନ ଗସ୍ତରେ ଯିବେ । ସେନାମୁଖ୍ୟ ଭାବେ ଏହା ତାଙ୍କର ପ୍ରଥମ ସିଆଚେନ ଗସ୍ତ ହେବ ।
ସାମରିକ ଦୃଷ୍ଟିକୋଣରୁ ସିଆଚେନର ସୁରକ୍ଷା ଭାରତ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ, କାରଣ ଏହା ପାକିସ୍ତାନ ନିୟନ୍ତ୍ରଣରେ ଥିବା ବାଲଟିସ୍ତାନ ଓ ଚୀନ ନିୟନ୍ତ୍ରଣରେ ଥିବା ସାକସଗାମ ମଧ୍ୟରେ ରହିଛି । ଏଣୁ ଏହା ଯଦି ଶତ୍ରୁ ହାତକୁ ଚାଲିଯାଏ ତେବେ ଲଦାଖ ଉପରେ ନିୟନ୍ତ୍ରଣ ରଖିବା କଷ୍ଟକର ହୋଇଯିବ ।
ତେବେ ସିଆଚେନକୁ ବିଶ୍ୱର ସବୁଠାରୁ ବିପଦଜନକ ଯୁଦ୍ଧକ୍ଷେତ୍ର ବୋଲି କୁହାଯାଏ । କାରଣ ଏଠାରେ ଶତ୍ରୁଠାରୁ ଯେତିକି ବିପଦର ଆଶଙ୍କା ନଥାଏ ତାଠାରୁ ଅଧିକ ବିପଦ ଥାଏ ପ୍ରାକୃତିକ ବିପର୍ଯ୍ୟୟଠାରୁ । ଗତ ନଭେମ୍ବର ୩୦ରେ ଏଠାରେ ଏକ ବରଫ ଝଡ଼ର ସମ୍ମୁଖୀନ ହୋଇ ୨ ଭାରତୀୟ ଯବାନ ସହିଦ ହୋଇଥିଲେ । ସେହିମାସ ୧୮ ତାରିଖରେ ମଧ୍ୟ ସେନାର ଏକ ଦଳ ବରଫଝଡ଼ର ସମ୍ମୁଖୀନ ହୋଇଥିଲା । ଏହି ଘଟଣାରେ ୪ ଯବାନ ନିହତ ହୋଇଥିଲେ । ସେହିପରି ଗତ ୨୦୧୬ ଫେବ୍ରୁଆରୀ ୩ରେ ଏକ ଭୟଙ୍କର ବରଫଝଡ଼ର ସମ୍ମୁଖୀନ ହୋଇ ୧୦ ଜଣ ଭାରତୀୟ ସେନା ଯବାନ ସହିଦ ହୋଇଥିଲେ ।

ସମ୍ବନ୍ଧିତ ଖବର