ସେନାମୁଖ୍ୟଙ୍କ ୨ ଦିନିଆ ଲଦାଖ୍‌ ଗସ୍ତ, ଚୀନ୍‌ ସେନା ସହ ଲଢ଼ିଥିବା ଯବାନଙ୍କୁ ଭେଟିଲେ

ନୂଆଦିଲ୍ଲୀ: ସେନାମୁଖ୍ୟ ଜେନେରାଲ୍‌ ଏମ୍‌ଏମ୍‌ ନରବଣେ ଆଜିଠାରୁ ୨ଦିନିଆ ଲଦାଖ୍‌ ଗସ୍ତ କରିଛନ୍ତି। ଗଲ୍‌ୱାନ୍‌ ଘାଟିରେ ଭାରତ-ଚୀନ୍‌ ସେନା ମଧ୍ୟରେ ସଂଘର୍ଷ ହେବା ପରେପରେ ଲଦାଖ୍‌କୁ ଏହା ନରବଣେଙ୍କ ପ୍ରଥମ ଗସ୍ତ। ଲେହରେ ପହଞ୍ଚିବା ପରେ ନରବଣେ ଚୀନ୍‌ ସେନା ସହ ସଂଘର୍ଷ ସମୟରେ ଆହତ ହୋଇଥିବା ଭାରତୀୟ ଯବାନମାନଙ୍କୁ ଲେହ ସ୍ଥିତ ସାମରିକ ହସ୍ପିଟାଲ୍‌ରେ ଭେଟିଛନ୍ତି ଏବଂ ସେମାନଙ୍କ ସହ କଥା ହୋଇଛନ୍ତି। ଭାରତୀୟ ଯବାନମାନଙ୍କ ସାହସିକତା ପାଇଁ ନରବଣେ ସେମାନଙ୍କୁ ପ୍ରଶଂସା କରିଥିଲେ। ହସ୍ପିଟାଲ୍‌ରୁ ଫେରିବାପରେ ନରବଣେ କମାଣ୍ଡରମାନଙ୍କ ସହ ଲଦାଖ୍‌ ସ୍ଥିତି ସମୀକ୍ଷା କରିଛନ୍ତି।

ସୀମାରେ ସାମରିକ ପ୍ରସ୍ତୁତି ନେଇ ନରବଣେ ସମୀକ୍ଷା କରିବା ସହ ସୈନ୍ୟଦଳଙ୍କୁ ଅଧିକ ସତର୍କ ରହିବା ପାଇଁ ପରାମର୍ଶ ଦେଇଛନ୍ତି। ଦୁଇ ଦିନିଆ ଗସ୍ତ ଅବସରରେ ସେନା ମୁଖ୍ୟ ନରବଣେ ବିଭିନ୍ନ ଆଗୁଆ ଘାଟି ଅଞ୍ଚଳ ଗସ୍ତରେ ଯିବେ ଏବଂ ଲେଫ୍ଟନାଣ୍ଟ୍‌ ଜେନେରାଲ ହରିନ୍ଦର ସିଂହଙ୍କ ସହ ମଧ୍ୟ ବୈଠକ କରିବାର ଯୋଜନା ରହିଛି। ଉଲ୍ଲେଖଯୋଗ୍ୟ ଗତକାଲି ଉଭୟ ଭାରତ-ଚୀନ୍‌ ମଧ୍ୟରେ ପ୍ରାୟ ୧୧ ଘଣ୍ଟ‌‌ା ଧରି କମାଣ୍ଡରସ୍ତରୀୟ ବୈଠକ ହୋଇଥିଲା। ଭାରତର ଲେଫ୍‌ଟନାଣ୍ଟ୍‌ ଜ‌େନେରାଲ୍‌ ହରିନ୍ଦର ସିଂହ ତିବ୍ଦତ ସାମରିକ ଜିଲ୍ଲା ମେଜର ଜେନେରାଲ୍‌ ଲିଉ ଲିନ୍‌ଙ୍କ ସହ କଥା ହୋଇଥିଲେ।

ସମ୍ବନ୍ଧିତ ଖବର