ଅରୁଣାଚଳ ପ୍ରଦେଶରେ ସେନା ହେଲିକପ୍ଟର୍‌ ଦୁର୍ଘଟଣାଗ୍ରସ୍ତ; ତଲାସ ଅଭିଯାନ ଜାରି

 

ଇଟାନଗର: ଆଜି ଅରୁଣାଚଳ ପ୍ରଦେଶ ଅନ୍ତର୍ଗତ ଉପର ସିଆଙ୍ଗ୍‌ ଜିଲ୍ଲାରେ ସେନାର ଗୋଟାଏ ଆଡ୍‌ଭାନ୍‌ସ୍‌ଡ୍‌ ଲାଇଟ୍‌ ହେଲିକପ୍ଟର୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବା କଥା ପ୍ରତିରକ୍ଷା କର୍ମଚାରୀମାନେ କହିଛନ୍ତି।

ଉପର ସିଆଙ୍ଗ୍‌ ଜିଲ୍ଲାସ୍ଥିତ ତୁତିଙ୍ଗ୍‌ ମୁଖ୍ୟାଳୟଠାରୁ ୨୫ କିଲୋମିଟର୍‌ ଦୂରବର୍ତ୍ତୀ ସିନ୍‌ଗିଙ୍ଗ୍‌ ଗାଁ ନିକଟରେ ଘଟିଥିବା ଉକ୍ତ ଦୁର୍ଘଟଣାସ୍ଥଳରେ ପହଞ୍ଚିବା ପାଇଁ ସଡ଼କ ପଥ ନାହିଁ ବୋଲି ଉପର ସିଆଙ୍ଗ୍‌ର ବରିଷ୍ଠ ପୁଲିସ ଅଧିକାରୀ ଜୁମ୍ମାର୍‌ ବସର୍‌ ଗଣମାଧ୍ୟମକୁ କହିଛନ୍ତି।

ଘଟଣାସ୍ଥଳକୁ ଉଦ୍ଧାରକାରୀ ଦଳ ପଠାଯିବା ପରେ ତଲାସ ଅଭିଯାନ ଆରମ୍ଭ ହୋଇଛି।

Image Courtesy of NDTV

ଘଟଣାସ୍ଥଳକୁ ଉଦ୍ଧାରକାରୀ ଦଳ ପଠାଯିବା ପରେ ତଲାସ ଅଭିଯାନ ଆରମ୍ଭ ହୋଇଛି। ସଂଗୃହୀତ ତଥ୍ୟାବଳି ଅନୁସାରେ, ଗୋଟିଏ ଝୁଲାପୋଲ ବ୍ୟତୀତ ଗାଁକୁ ଯାନବାହନ ଯିବା ଭଳି ବାଟ ନ ଥିବାରୁ ଦୁର୍ଘଟଣାସ୍ଥଳକୁ ଦୁଇଟି ହେଲିକପ୍ଟର୍‌ ପଠାଯାଇଛି। ସ୍ଥାନୀୟ ଗ୍ରାମବାସୀ ମଧ୍ୟ ତଲାସ ଅଭିଯାନରେ ଲାଗିଛନ୍ତି।

ଟୁଇଟ୍‌ କରି କେନ୍ଦ୍ର ଆଇନ ମନ୍ତ୍ରୀ କିରେନ୍‌ ରିଜିଜୁ ଲେଖିଛନ୍ତି: ଅରୁଣାଚଳ ପ୍ରଦେଶର ଉପର ସିଆଙ୍ଗ୍‌ ଜିଲ୍ଲାରେ ଭାରତୀୟ ସେନାର ‘ଆଡ୍‌ଭାନ୍‌ସ୍‌ଡ୍‌ ଲାଇଟ୍‌ ହେଲିକପ୍ଟର୍‌’ ଦୁର୍ଘଟଣାଗ୍ରସ୍ତ ବିଷୟରେ ଖୁବ୍‌ ବିଚଳିତକାରୀ ଖବର ପାଇଛି। ଈଶ୍ବରଙ୍କ ନିକଟରେ ମୋର ଆନ୍ତରିକ ପ୍ରାର୍ଥନା।

ସୂଚନାଯୋଗ୍ୟ, ଏହା ହେଉଛି ଚଳିତ ମାସରେ ଅରୁଣାଚଳ ପ୍ରଦେଶରେ ଦ୍ବିତୀୟ ହେଲିକପ୍ଟର୍‌ ଦୁର୍ଘଟଣା। ଚଳିତ ମାସ ପ୍ରାରମ୍ଭରେ ତାୱାଙ୍ଗ୍‌ ନିକଟରେ ଗୋଟାଏ ଚିତା ହେଲିକପ୍ଟର୍‌ ଦୁର୍ଘଟଣାଗ୍ରସ୍ତ ହେବାରୁ ଜଣେ ପାଇଲଟ୍‌ ପ୍ରାଣ ହରାଇଥିଲେ ଓ ଆଉ କିଛି ବ୍ୟକ୍ତି ଆହତ ହୋଇଥିଲେ।

ସମ୍ବନ୍ଧିତ ଖବର