ଇସଲାମାବାଦ: ପାକିସ୍ତାନର ସଂସଦୀୟ ନିର୍ବାଚନରେ କୌଣସି ଦଳକୁ ସ୍ପଷ୍ଟ ସଂଖ୍ୟାଗରିଷ୍ଠତା ମିଳିନଥିବାରୁ ଅତ୍ୟନ୍ତ ଅସ୍ବାଭାବିକ ସ୍ଥିତି ଲାଗି ରହିଛି। ପାକ୍ ସେନା ଯେନତେନ ପ୍ରକାରେ ପିଟିଆଇକୁ ବାଦ୍ ଦେଇ ଏକ ମେଣ୍ଟ ସରକାର ଚାହୁଥିବାରୁ ଏହାକୁ ନେଇ ବିଶ୍ବବ୍ୟାପୀ ଉଦ୍ବେଗ ପ୍ରକାଶ ପାଇଛି। ଆମେରିକା, ବ୍ରିଟେନ ଓ ୟୁରୋପୀୟ ସଂଘ ପାକିସ୍ତାନ ନିର୍ବାଚନରେ ହୋଇଥିବା ଅନିୟମିତତା ଓ ସେନା ହସ୍ତକ୍ଷେପ ମାମଲାର ତଦନ୍ତ ପାଇଁ ଦାବି କରିଛନ୍ତି। ପାକିସ୍ତାନର ନିର୍ବାଚନକୁ ଏକ ଅରାଜକ ସ୍ଥିତି ବୋଲି ଏହି ରାଷ୍ଟ୍ରମାନେ ଦର୍ଶାଇଛନ୍ତି। ଏଭଳି ପରିସ୍ଥିତିରେ କ୍ଷମତାକୁ ଆସିବା ପାଇଁ ସେନା ଚାହୁଥିବା ଦୁଇ ଦଳ (ପିଏମ୍ଏଲ୍-ଏନ ଓ ପିପିପି) ମେଣ୍ଟ ଗଠନ କରିଛନ୍ତି। ଜେଲରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଅନୁଗତ ସ୍ୱାଧୀନ ପ୍ରାର୍ଥୀମାନେ ନିର୍ବାଚନରେ ଆଶାତୀତ ସଫଳତା ହାସଲ କରି ସମସ୍ତଙ୍କୁ ଚମକାଇ ଦେଇଛନ୍ତି। ଏବେ ଦେଶରେ ରାଜନୈତିକ ଘୋଡ଼ା ବେପାର ପରିସ୍ଥିତି ସୃଷ୍ଟି ହୋଇଛି। ପାକିସ୍ତାନରେ ଏବେ ଯିଏ ପ୍ରଧାନମନ୍ତ୍ରୀ ହେଲେ ବି ସେନା ହିଁ ସବୁକିଛି ନିୟନ୍ତ୍ରଣ କରିବ ଏବଂ ଏହା ଭାରତ ପାଇଁ ବିଶେଷ ଫରକ ଆଣିବ ନାହିଁ। ଆତଙ୍କବାଦୀଙ୍କୁ ଆଶ୍ରୟ ଦେଉଥିବା ଏହି ଅଶାନ୍ତ ପଡ଼ୋଶୀ ରାଷ୍ଟ୍ର ସହ ଭାରତକୁ ଯଥାରୀତି ପୂର୍ବଭଳି ମୁକାବିଲା କରିବାକୁ ପଡ଼ିବ।
ପାକିସ୍ତାନ ମୁସଲିମ୍ ଲିଗ୍-ନୱାଜ୍ ମୁଖ୍ୟ ନୱାଜ ସରିଫ୍ ଭାରତ ସହ ସମ୍ପର୍କ ସୁଧାରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ତାଙ୍କ ଦଳର ଇସ୍ତାହାରରେ ଭାରତକୁ ଶାନ୍ତିର ବାର୍ତ୍ତା ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଛି। ତେବେ ଏଥିପାଇଁ କେତେକ ଅବାନ୍ତର ସର୍ତ୍ତ ରଖାଯାଇଛି ତାହା ଭାରତ ପାଇଁ କଦାପି ଗ୍ରହଣୀୟ ହେବନାହିଁ। ନିକଟରେ ନୱାଜ ସରିଫ୍ ନିର୍ବାସନରୁ ଫେରିଛନ୍ତି। ସେ ଦୁଇ ଦେଶ ମଧ୍ୟରେ ନୂତନ କୂଟନୈତିକ ସମ୍ପର୍କକୁ ସମର୍ଥନ କରିଛନ୍ତି ଏବଂ ଭାରତର ପ୍ରଗତି ଏବଂ ବିଶ୍ୱସ୍ତରୀୟ ସଫଳତାକୁ ସ୍ୱୀକାର କରିଛନ୍ତି। ତେବେ ଭାରତକୁ ନେଇ ବିଲାୱଲ ଭୁଟ୍ଟୋ ଜର୍ଦାରୀଙ୍କ ଆଭିମୁଖ୍ୟ ଭିନ୍ନ ରହିଛି। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନେଇ ସେ ଅନେକ ସମାଲୋଚନାମୂଳକ ମନ୍ତବ୍ୟ ଦେଇ ତିକ୍ତତା ବଢ଼ାଇଛନ୍ତି ଏବଂ ତାଙ୍କ ଭାରତ ବିରୋଧୀ ରଣନୀତି ଦ୍ବାରା ଅପରିପକ୍ବତାର ପ୍ରଦର୍ଶନ ମଧ୍ୟ କରିଛନ୍ତି।