ସେନା ଦିବସ ୨୦୨୨: ନୂଆ ୟୁନିଫର୍ମରେ ଦେଖାଦେଲେ ସୈନିକ

ନୂଆଦିଲ୍ଲୀ: ଆତଙ୍କବାଦୀଙ୍କ ସହ ଲଢ଼ୁଥିବା ଓ ସୀମାରେ ନିଯୁକ୍ତ ସୈନିକମାନଙ୍କୁ ଅନେକ ପ୍ରକାର ଆହ୍ବାନର ସମ୍ମୁଖୀନ ହେବାକୁ ପଡ଼େ। ସେଥିପାଇଁ ସେମାନଙ୍କ ଲାଗି ନୂଆ ୟୁନିଫର୍ମ ତିଆରି କରାଯାଇଛି, ଯେଉଁଥିରେ ରହିଛି ଅନେକ ସୁବିଧା। କେବଳ ପୁରୁଷ ନୁହେଁ ମହିଳାଙ୍କ ପାଇଁ ବି ପୋଷାକ ଆରାମଦାୟକ। ନୂଆ ୟୁନିଫର୍ମରେ ରହିଛି ଅନେକ ଡିଜିଟାଲ ପ୍ୟାଟର୍ଣ୍ଣ। ଶତ୍ରୁ ଏ ପୋଷାକ ପିନ୍ଧା ସୈନିକଙ୍କୁ ସହଜରେ ଚିହ୍ନିପାରିବେ ନାହିଁ। ଏହି ପୋଷାକକୁ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଫେସନ ଟେକ୍ନୋଲୋଜି (ଏନ୍‌ଆଇଏଫ୍‌ଟି) ସହଯୋଗରେ ତିଆରି କରାଯାଇଛି।

ସୂଚନାଯୋଗ୍ୟ ଯେ, ୭୪ତମ ପ୍ରତିଷ୍ଠା ଦିବସ ଅବସରରେ ଭାରତୀୟ ସେନା ଆଜି ପ୍ରଥମ ଥର ପାଇଁ ସାର୍ବଜନିକ ରୂପରେ ନୂଆ ଅତ୍ୟାଧୁନିକ ଓ ଡିଜିଟାଲ ସୁବିଧା ଥିବା ୟୁନିଫର୍ମରେ ଦୃଶ୍ୟମାନ ହୋଇଛନ୍ତି। ଆମେରିକୀୟ ସୈନିକମାନେ ବ୍ୟବହାର କରୁଥିବା ଢାଞ୍ଚାରେ ଏହି ପୋଷାକରେ ଡିଜିଟାଲ କାମୋଫ୍ଲେଜ୍‌ର ବ୍ୟବସ୍ଥା ରହିଛି। ଦିଲ୍ଲୀ କେଣ୍ଟରେ ଥିବା ପରେଡ୍ ଗ୍ରାଉଣ୍ଡରେ ପାରାଚୁଟ ରେଜିମେଣ୍ଟର କମାଣ୍ଡୋମାନେ ଏହି ପୋଷାକ ପିନ୍ଧି ମାର୍ଚ୍ଚ କରୁଥିବା ଏକ ଭିଡିଓରେ ଦେଖିବାକୁ ମିଳିଛି। ଆସନ୍ତା ଅଗଷ୍ଟ ମାସରେ ଏହି ପୋଷାକକୁ ଭାରତୀୟ ସେନାରେ ପୂର୍ଣ୍ଣରୂପରେ ବ୍ୟବହାର କରାଯିବ।

ସମ୍ବନ୍ଧିତ ଖବର