ନୂଆଦିଲ୍ଲୀ: ପରସ୍ପର ସହିତ ଯୋଗାଯୋଗ କରିବା ପାଇଁ ସେନା ଅଧିକାରୀମାନେ ବାହ୍ୟ ମୋବାଇଲ୍ ଆପ୍ ଉପରେ ନିର୍ଭର କରୁଥିଲେ, ଯାହାଦ୍ୱାରା ତଥ୍ୟ ଚୋରି ହେବାର ଆଶଙ୍କା ରହୁଥିଲା | ବର୍ତ୍ତମାନ ନିଜ ମଧ୍ୟରେ କଥା ହେବା ପାଇଁ ଏକ ସୁରକ୍ଷିତ ଆପ ପ୍ରସ୍ତୁତ ହୋଇଛି | ଏହି ଆପ କେବଳ ସେନା ଅଧିକାରୀମାନେ ହିଁ ବ୍ୟବହାର କରିପାରିବେ | ‘ଆତ୍ମନିର୍ଭର ଭାରତ’ ଅଭିଯାନ ଅଧୀନରେ ଭାରତୀୟ ସେନା ନିଜସ୍ବ ବ୍ୟବହାର ପାଇଁ ଏହି ସୁରକ୍ଷିତ ଆପ ତିଆରି କରିଛି | ଗୁରୁବାର ଏ ନେଇ ସେନା ପକ୍ଷରୁ ସୂଚନା ଦିଆଯାଇଛି |
ଏହି ଆପ୍ଲିକେସନ୍ ହ୍ଵାଟ୍ସଆପ ଆପ୍, ଟେଲିଗ୍ରାମ ଏବଂ ଜିମ୍ସ ଆପ ସହ ସମାନ ଏବଂ ଏଣ୍ଡ-ଟୁ-ଏଣ୍ଡ ଏନକ୍ରିପସନ୍ ମେସେଜିଂ ପ୍ରୋଟୋକଲ୍ ବ୍ୟବହାର କରେ |

ଏହା ଇଣ୍ଟରନେଟ୍ ମାଧ୍ୟମରେ ଆଣ୍ଡ୍ରଏଡ୍ ପ୍ଲାଟଫର୍ମ ପାଇଁ ଏଣ୍ଡ-ଟୁ-ଏଣ୍ଡ ସୁରକ୍ଷିତ ଭଏସ୍, ଟେକ୍ସଟ୍ ଏବଂ ଭିଡିଓ କଲିଂ ସେବାକୁ ସମର୍ଥନ କରେ। ଆଭ୍ୟନ୍ତରୀଣ ଯୋଗାଯୋଗ ପାଇଁ ସେନା ଅଧିକାରୀମାନେ ବ୍ୟବହାର କରୁଥିବା ବାଣିଜ୍ୟିକ ମୋବାଇଲ୍ ଆପ ଦ୍ୱାରା ତଥ୍ୟ ଚୋରି ହେବାର ଆଶଙ୍କା ରହିଥିଲା | କିନ୍ତୁ ଏହି ଆପ ଦ୍ୱାରା ସେ ଆଶଙ୍କା ରହିବ ନାହିଁ |
ଏହା ପୂର୍ବରୁ, ସେନା ଏହାର କର୍ମଚାରୀଙ୍କ ପାଇଁ ୮୯ଟି ଆପ୍ ଉପରେ ନିଷେଧାଦେଶ ଜାରି କରିଥିଲା | ଏହା ପରେ ସେନା କର୍ମଚାରୀ ଫେସବୁକ୍, ଟ୍ରୁକଲର୍, ଇନଷ୍ଟାଗ୍ରାମ ଏବଂ ପବଜି ପରି ଲୋକପ୍ରିୟ ଆପ୍ ବ୍ୟବହାର କରିବା ବନ୍ଦ କରିଦେଇଥିଲେ | ସଶସ୍ତ୍ର ବାହିନୀର କର୍ମଚାରୀଙ୍କ ଫୋନରୁ ସମ୍ବେଦନଶୀଳ ଜାତୀୟ ସୁରକ୍ଷା ସୂଚନା ଲିକକୁ ରୋକିବା ପାଇଁ ଏହି ନିର୍ଦ୍ଦେଶ ଦିଆଯାଇଥିଲା।