କୋଲକାତା: ଏକ ବିରଳ ଘଟଣାକ୍ରମେ କୋଲକାତାର ଇଷ୍ଟର୍ନ କମାଣ୍ଡ ମୁଖ୍ୟାଳୟ ସମ୍ମୁଖସ୍ଥ ରେଡ୍ ରୋଡ୍ରେ ଇଦ୍-ଉଲ୍-ଜୁହା ନିମନ୍ତେ ନମାଜ ପାଠ କରିବା ନିମନ୍ତେ ଅନୁମତି ଆବେଦନକୁ ଭାରତୀୟ ସେନା ଅଗ୍ରାହ୍ୟ କରିଦେଇଛି। ପ୍ରତିବର୍ଷ ନେତାଜୀ ପ୍ରତିମୂର୍ତ୍ତି ଠାରୁ ଇଷ୍ଟର୍ନ କମାଣ୍ଡ ମୁଖ୍ୟାଳୟ ଫୋର୍ଟ ୱଲିୟମ୍ର ପୂର୍ବ ଫାଟକ ଯାଏଁ ଥିବା ରେଡ୍ ରୋଡ୍ରେ ଇଦ୍-ଉଲ୍-ଜୁହା ଅବସରରେ ସାମୂହିକ ନମାଜ ପାଠ କରାଯାଇଥାଏ।
ଚଳିତ ବର୍ଷ ନମାଜ ପାଠ କରିବା ନିମନ୍ତେ କଲିକତା ଖିଲାଫତ କମିଟି ଆବେଦନ କରିଥିଲା। ତେବେ ସେନାବାହିନୀ ପକ୍ଷରୁ ଏହାକୁ ଅଗ୍ରାହ୍ୟ କରି ଦିଆଯିବା ସହ ଆବଶ୍ୟକ ପଦକ୍ଷେପ ନେବାକୁ ପଶ୍ଚିମବଙ୍ଗ ପୁଲିସକୁ ସୂଚିତ କରାଯାଇଛି। ଜମିର ଦାୟିତ୍ବରେ ଥିବା କର୍ଣ୍ଣେଲ୍ଙ୍କ ସ୍ବାକ୍ଷରିତ ଜବାବରେ ଉଲ୍ଲେଖ ରହିଛି, ୭ ଓ ୮ ଜୁନ୍ରେ ଇଦ୍-ଉଲ୍-ଜୁହାର ସାମୂହିକ ନମାଜ ନିମନ୍ତେ ରେଡ୍ ରୋଡ୍କୁ ପ୍ରଦାନ କରାଯାଇପାରିବ ନାହିଁ। ଏହି ସମୟରେ ଉକ୍ତ ସ୍ଥାନ ସେନା କାର୍ଯ୍ୟ ନିମନ୍ତେ ଆବଶ୍ୟକତା ରହିଥିବା କୁହାଯାଇଛି।