ଜମ୍ମୁ- କଶ୍ମୀରରେ ପାକ୍‌ର ଅନୁପ୍ରବେଶ ଯୋଜନାକୁ ପଣ୍ଡ କଲା ସେନା; ଅନୁପ୍ରବେଶକାରୀ ନିହତ

ଶ୍ରୀନଗର: ଜମ୍ମୁ- କଶ୍ମୀରର କୁପୱାଡା ଜିଲ୍ଲାରେ ଭାରତୀୟ ସୀମା ମଧ୍ୟକୁ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିବା ବେଳେ ଜଣେ ପାକିସ୍ତାନୀ ନାଗରିକକୁ ଭାରତୀୟ ସେନା ହତ୍ୟା କରିଥିବା ରବିବାର ଦିନ ଜଣେ ସେନା ଅଧିକାରୀ କହିଛନ୍ତି। ଅନୁପ୍ରବେଶକାରୀ ପାକ୍‌ ନାଗରିକ ଠାରୁ ଗୋଟିଏ ଏକଏକେ-୪୭ ଏବଂ ବହୁ ପରିମାଣର ଗୁଳି ଓ ଗୋଳାବାରୁଦ ଉଦ୍ଧାର କରାଯାଇଛି ବୋଲି ଅଧିକାରୀ ଜଣକ କହିଛନ୍ତି।

ଘଟଣା ସଂପର୍କରେ ସୂଚନା ଦେଇ ଅଧିକାରୀ ଗଣମାଧ୍ୟମକୁ କହିଛନ୍ତି, ଅନୁପ୍ରବେଶ ନିରୋଧୀ ପ୍ରତିବନ୍ଧକ ପ୍ରଣାଳୀର ପାକିସ୍ତାନୀ ପାର୍ଶ୍ୱରେ ଏହି ଘଟଣା ସ୍ଥଳ ଅବସ୍ଥିତ। ଅନୁପ୍ରବେଶକାରୀ କିମ୍ବା ପାକିସ୍ତାନ ସେନା ଦ୍ୱାରା କୌଣସି ଘୃଣ୍ୟ କାର୍ଯ୍ୟକଳାପକୁ ପ୍ରଭାବଶାଳୀ ଭାବରେ ପ୍ରତିହତ କରିବା ପାଇଁ ଭାରତୀୟ ସେନା ଦ୍ୱାରା ଏହି ଅଞ୍ଚଳ ଉପରେ ନଜର ରଖାଯାଇଛି।

ତେବେ, ଶନିବାର ଅପରାହ୍ନ ପ୍ରାୟ ୩ଟାରେ ଜଣେ ସଶସ୍ତ୍ର ଅନୁପ୍ରବେଶକାରୀ ନିୟନ୍ତ୍ରଣ ରେଖା ପାର କରି ପାକିସ୍ତାନ ସେନାର ନିୟନ୍ତ୍ରଣରେ ଥିବା ଅଞ୍ଚଳରୁ ଆସୁଥିବା ଚିହ୍ନଟ ହୋଇଥିଲା। ଅନୁପ୍ରବେଶକାରୀର ଗତିବିଧିକୁ ଭାରତୀୟ ସେନା ଅନୁସରଣ କରିଥିଲା ଏବଂ ଉପଯୁକ୍ତ ମୁହୂର୍ତ୍ତରେ ଆମ୍ବୁସ୍‌ କରି ଅନୁପ୍ରବେଶକାରୀକୁ ହତ୍ୟା କରିଥିଲା। ନିହତ ଅନୁପ୍ରବେଶକାରୀ ନିକଟରୁ ଗୋଟିଏ ଏକେ-୪୭ ଏବଂ ୭ଟି ଗ୍ରେନେଡ ସମେତ ବହୁ ପରିମାଣର ଗୁଳି ଗୋଳାବାରୁଦ ଉଦ୍ଧାର କରାଯାଇଛି ବୋଲି ସେ କହିଛନ୍ତି। ନିହତ ବ୍ୟକ୍ତିର ନାମ ମହମ୍ମଦ ଶବ୍ଦୀର ମଲ୍ଲିକ ଏବଂ ସେ ଜଣେ ପାକିସ୍ତାନୀ ନାଗରିକ ବୋଲି ସେନା ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର