ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ୨ ପାଇଲଟ୍‌ ମୃତ

ଶ୍ରୀନଗର: ଜମ୍ମୁ କାଶ୍ମୀର ଉଧମପୁର ଜିଲ୍ଲାର ପଟନିଟପ ନିକଟରେ ଆଜି ଏକ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇ ୨ ପାଇଲଟ୍‌ଙ୍କ ମୃତ୍ୟୁ ହୋଇଛି। ମିଳିଥିବା ସୂଚନାନୁଯା‌ୟୀ ହେଲିକପ୍ଟରଟି ନିୟନ୍ତ୍ରଣ ହରାଇ ଏକ ଜଙ୍ଗଲ ଅଂଚଳରେ ଖସି ପଡ଼ିଥିଲା। ୨ ପାଇଲଟ୍‌ଙ୍କ ଅବସ୍ଥା ଅତି ଗୁରୁତର ଥିଲା। ସ୍ଥାନୀୟ ଲୋକମାନେ ସେମାନଙ୍କୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲ ନେଇଥିଲେ। କିନ୍ତୁ ସେଠାରେ ଡାକ୍ତରମାନେ ସେମାନଙ୍କୁ ମୃତ ଘୋଷଣା କରିଥିଲେ। ମୃତ ୨ ପାଇଲଟ୍‌ ମେଜର୍‌ ରୢାଙ୍କ୍‌ର ଅଫିସର । ସେମାନେ ହେଉଛନ୍ତି ମେଜର ରୋହିତ କୁମାର ଏବଂ ମେଜର ଅନୁଜ ରାଜପୁତ।

ସେନା ପକ୍ଷରୁ ଆଜି ଏକ ଟ୍ବିଟ୍‌ କରି ଦୁର୍ଘଟଣାରେ ଦୁଇ ପାଇଲଟ୍‌ଙ୍କ ମୃତ୍ୟୁ ହୋଇଥିବା କୁହାଯାଇଛି। ଆଜି ପୂର୍ବାହ୍ନ ୧୦.୩୦ସମୟରେ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଖରାପ୍‌ ପାଗ ଯୋଗୁଁ ଏଭଳି ଦୁର୍ଘଟଣା ହୋଇଛି। କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂହ କହିଛନ୍ତି, ପଟନିଟପରେ ଦୁର୍ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଜମ୍ମୁ କାଶ୍ମୀରରେ ଗତ ୭ ସପ୍ତାହ ମଧ୍ୟରେ ଏହା ଦ୍ବିତୀୟ ଦୁର୍ଘଟଣା। ଗତମାସରେ ରଂଜିତ ସାଗର ଡ୍ୟାମ୍‌ରେ ସେନାର ଏକ ହେଲିକପ୍ଟର ଖସି ପଡ଼ିବାଫଳରେ ୨ ପାଇଲଟ୍‌ଙ୍କ ମୃତ୍ୟୁ ‌ହୋଇଥିଲା। ଅନ୍ୟ ଜଣେ ପାଇଲଟ୍‌ଙ୍କ ମୃତଦେହ ଏଯାବତ୍‌ ମିଳିନାହିଁ।

ସମ୍ବନ୍ଧିତ ଖବର