ସୀବାନ(ବିହାର): ବିବାହର ୪ମାସ ପରେ ସହିଦ୍ ହେଲେ ବିହାର ପୁଅ। ପାକିସ୍ତାନ ଗୁଳିର ଜବାବ ଦେଉ ଦେଉ ଟଳିପଡ଼ିଲେ ବିହାରର ସିୱାନରେ ରହୁଥିବା ସେନା ଯବାନ ରାମବାବୁ ସିଂ। ଦେଶ ପାଇଁ ସେ ସୋମବାର ସହିଦ୍ ହୋଇଥିବ ଜଣାଯାଇଛି। ଏପର୍ଯ୍ୟନ୍ତ ତାଙ୍କ ପତ୍ନୀ ଏବିଷୟରେ ଜାଣିନଥିବା ସାମ୍ନାକୁ ଆସିଛି।

Advertisment

ସୂଚନା ମୁତାବକ, ସୋମବାର ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିବା ଯୋଗୁଁ ଦୁଇ ପକ୍ଷରୁ ଗୁଳିବର୍ଷା ହୋଇଥିଲା। ଏହି ସମୟରେ ରାମବାବୁଙ୍କ ଦେହରେ ଗୁଳି ବାଜିଥିଲା। ପରିବାର ସଦସ୍ୟଙ୍କ କହିବା ଅନୁଯାୟୀ, ତାଙ୍କୁ ଅପରାହ୍ନରେ ଗୁଳି କରାଯାଇଥିଲା ଏବଂ ତା’ପରେ ଖବର ଆସିଥିଲା ​​ଯେ ସେ ଦେଶ ପାଇଁ ସହିଦ ହୋଇଛନ୍ତି। ଏହି ଖବର ପରେ ରାମବାବୁ ସିଂହଙ୍କ ଗାଁରେ ଶୋକର ଲହରୀ ଖେଳିଯାଇଛି।

ସହିଦ୍ ସୈନିକ ରାମବାବୁ ସିଂ ସିୱାନର ବଡ଼ହରିଆ ବ୍ଲକର ବସିଲପୁର ଗାଁର ବାସିନ୍ଦା ଥିଲେ। ତାଙ୍କ ପିତା ସ୍ୱର୍ଗତଃ ରାମବିଚାର ସିଂହ ହରିହରପୁର ପଞ୍ଚାୟତର ସରପଞ୍ଚ ଥିଲେ। ରାମବାବୁ ସିଂହଙ୍କ ଭାଇ ଅଖିଳେଶ ସିଂହ, ଝାଡ଼ଖଣ୍ଡର ହଜାରିବାଗରେ ଲୋକୋ ପାଇଲଟ୍ ଭାବରେ କାର୍ଯ୍ୟ କରୁଛନ୍ତି।

ସହିଦ ରାମବାବୁ ସିଂହଙ୍କ ଶଶୁର ସୁଭାଷ ଚନ୍ଦ୍ର ଶର୍ମା କହିଛନ୍ତି ଯେ, "ମୋ ଜ୍ୱାଇଁ ୧୦ ଏପ୍ରିଲରେ ଜମ୍ମୁ-କାଶ୍ମୀର ଯାଇ ଡ୍ୟୁଟିରେ ଯୋଗ ଦେଇଥିଲେ। ତାଙ୍କର ଜୋଧପୁରରେ ପୋଷ୍ଟିଂ ହୋଇସାରିଥିଲେ ବି ଯୁଦ୍ଧ ପାଇଁ ଏହାକୁ ରୋକି ଦିଆଯାଇଥିଲା। ସୋମବାର ଦିନ ପ୍ରାୟ ୧.୩୦ ସମୟରେ, ସେନା ମୁଖ୍ୟାଳୟରୁ ଫୋନ୍ ଆସିଲା, ଯେ ମୋ ଜ୍ୱାଇଁଙ୍କ ଦେହରେ ଗୁଳି ବାଜିଛି। ଏହାର କିଛି ସମୟ ପରେ, ସେ ସହିଦ ହୋଇଥିବା ନେଇ ଖବର ଆସିଥିଲା। ଝିଅ ଏବେ ମୋ ପାଖରେ ଅଛି। ସେ ଏପର୍ଯ୍ୟନ୍ତ ତାଙ୍କ ସ୍ୱାମୀଙ୍କ ସହିଦ ହେବା ବିଷୟରେ ଜାଣି ନାହିଁ।"