ନୂଆଦିଲ୍ଲୀ: ନ୍ୟାସନାଲ କେଡ଼େଟ କୋର ବା ଏନସିସିର ଜଣେ ଛାତ୍ରୀଙ୍କୁ ଅଶ୍ଳୀଳ ଭିଡିଓ ପଠାଇବା ଘଟଣା ଏବେ ସେନାର ଜଣେ ମେଜର ଜେନେରାଲଙ୍କୁ ମହଙ୍ଗା ପଡିଛି | ଭାରତୀୟ ସେନା ନିଜ ଅଧିକାରୀଙ୍କ ବିରୋଧରେ କୋର୍ଟ ମାର୍ଶାଲରେ କାର୍ଯ୍ୟାନୁଷ୍ଠାନ ନେବା ଆରମ୍ଭ କରିଛି | ମିଳିଥିବା ସୂଚନା ମୁତାବକ ଏହି ମେଜର ଜେନେରାଲ ଏନସିସିର ୱେଷ୍ଟର୍ନ ରିଜିୟନ ଦାୟିତ୍ୱରେ ଥିଲେ | ଏନସିସିର ଏହି ଛାତ୍ରୀ ଜଣକ ଅଭିଯୋଗ କରିଥିଲେ ଯେ ଉକ୍ତ ଅଧିକାରୀ ତାଙ୍କୁ ଅଶ୍ଳୀଳ ଭିଡିଓ ପଠାଇବା ସହ ଅଶ୍ଳୀଳ ମେସେଜ ମଧ୍ୟ ପଠାଇଛନ୍ତି |

ଏନସିସି କ୍ୟାଡେଟଙ୍କ ଅଭିଯୋଗ ପାଇବା ପରେ ଆର୍ମି ମୁଖ୍ୟାଳୟ ପକ୍ଷରୁ ଏହାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା | ଏହାପରେ ମେଜର ଜେନେରାଲଙ୍କୁ ତଦନ୍ତର ସମ୍ମୁଖୀନ କରିବାକୁ ପଡିଥିଲା | ଯେଉଁଥିରେ ତାଙ୍କର ସମ୍ପୃକ୍ତି ନେଇ ପ୍ରମାଣ ମିଳିଥିଲା |
ବର୍ତ୍ତମାନ ଏହି ଘଟଣାକୁ ନେଇ ମେଜର ଜେନେରାଲଙ୍କୁ କୋର୍ଟ ମାର୍ଶାଲର ସମ୍ମୁଖୀନ ହେବାକୁ ପଡିବ | ଏହାପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ | ଏଠାରେ ସୂଚନା ଥାଉ କି କିଛି ଦିନ ପରେ ମେଜର ଜେନେରାଲ ଜଣକ ଅବସର ନେଇଥାନ୍ତେ କିନ୍ତୁ କୋର୍ଟ ମାର୍ଶାଲରେ ଅଧିକାରୀଙ୍କ ବିରୋଧରେ ଏହି ସମୟରେ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତି କରାଯାଉଛି | ଭାରତୀୟ ସେନାରେ ମେଜର ଜେନେରାଲ ତୃତୀୟ ଶୀର୍ଷ ରାଙ୍କ ହୋଇଥାଏ |