ଜମ୍ମୁ: ଆତଙ୍କବାଦୀ- ସେନା ଗୁଳିବିନିମୟ, ୪ ଆତଙ୍କବାଦୀ ନିହତ, ସେନା ମେଜରଙ୍କ ସହିତ ୩ ଯବାନ ସହିଦ

ଜମ୍ମୁ: ଉତ୍ତର କଶ୍ମୀରର ଗୁରେଜ୍‌ ସେକ୍ଟରରେ ଅନୁପ୍ରବେଶ ଉଦ୍ୟମ କରୁଥିବା ଆତଙ୍କବାଦୀ ଗୋଷ୍ଠୀଙ୍କ ସହିତ ଭାରତୀୟ ସେନାର ଘମାଘୋଟ୍‌ ଗୁଳି ବିନିମୟ ହୋଇଛିି। ଏହି ଗୁଳିବିନିମୟରେ ଭାରତୀୟ ସେନାରେ ୩ ଜଣ ସୈନିକ ଓ ଜଣେ ମେଜର ସହିଦ ହୋଇଥିବା ବେଳେ ୪ ଜଣ ଅନୁପ୍ରବେଶକାରୀ ଭାରତୀୟ ସେନାର ଗୁଳିରେ ମୃତ୍ୟୁବରଣ କରିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଜମ୍ମୁ ଓ କଶ୍ମୀରର ବନ୍ଦିପୋରା ଜିଲ୍ଲାର ଗୁରେଜ ସେକ୍ଟର ଅନ୍ତର୍ଗତ ଗୋବିନ୍ଦ ନଲ୍ଲା ଅଞ୍ଚଳରେ ସେନାର ପାଟ୍ରୋଲିଂ ପାର୍ଟି ଅତିକ୍ରମ କରୁଥିବାବେଳେ ସେଠାରେ କେତେକ ପାକିସ୍ତାନୀ ଅନୁପ୍ରବେଶକାରୀଙ୍କ ଗତିବିଧି ସମ୍ପର୍କରେ ସୂଚନା ପାଇଥିଲେ। ପରେ ଏହି ଅନୁପ୍ରବେଶକାରୀମାନେ ଭାରତୀୟ ସେନାର ପେଟ୍ରୋଲିଂ ଗାଡ଼ି ଉପରକୁ ଗୁଳି ଚଳାଇବାରୁ ସେନା ପକ୍ଷରୁ ଜବାବ ଗୁଳିଚାଳନା କରାଯାଇଥିଲା। ତେବେ ଅନୁପ୍ରବେଶକାରୀଙ୍କ ଅତର୍କିତ ଗୁଳିଚାଳନାରେ ମେଜର କେ ପି ରାଣେ, ହାବିଲଦାର ଜେମି ସିଂହ, ବିକ୍ରମଜିତ ଓ ରାଇଫଲମ୍ୟାନ ମନଦୀପ ସହିଦ ହୋଇଥିବା ବେଳେ ଭାରତୀୟ ସେନାର ଗୁଳିମାଡରେ ୪ ଜଣ ଅନୁପ୍ରବେଶକାରୀ ଆତଙ୍କବାଦୀ ମୃତ୍ୟୁବରଣ କରିଛନ୍ତି। ମିଳିଥିବା ସୂଚନା ଅନୁଯୟୀ, ୮ଜଣ ଆତଙ୍କବାଦୀ ଭାରତ ଭିତରକୁ ଅନୁପ୍ରବେଶ ପାଇଁ ଉଦ୍ୟମ କରୁଥିଲେ।ସେମାନଙ୍କ ମଧ୍ୟରୂ ୪ ଜଣଙ୍କର ଭାରତୀୟ ସେନାର ଗୁଳିରେ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ୪ ଜଣ କୌଣସିମତେ ଜୀବନ ବଞ୍ଚାଇ ପାକ୍‌ ଅଧିକୃତ କଶ୍ମୀର ଅଞ୍ଚଳକୁ ଫେରି ଯାଇଛନ୍ତି।

ସମ୍ବନ୍ଧିତ ଖବର