ସେନାକୁ ମିଳିଲା ଶତ୍ରୁ ଗୁଳି ଭେଦ କରିପାରୁ ନ ଥିବା ସୁରକ୍ଷା କବଚ ! ଭାରତୀୟ ସେନାର ମେଜର ବିକଶିତ କଲେ ବୁଲେଟ୍ ପ୍ରୁଫ୍ ଜାକେଟ୍ ‘ସର୍ବତ୍ର’

ନୂଆଦିଲ୍ଲୀ: ଶତ୍ରୁ ପକ୍ଷର ଗୁଳିରେ ଭାରତୀୟ ଯବାନ ସହିଦ ହେବା ଖବର ଏଣିକି କ୍ବଚିତ ଶୁଣିବାକୁ ମିଳିବ। କାରଣ ଭାରତୀୟ ସେନାକୁ ମିଳିଛି ଶକ୍ତିଶାଳୀ ସ୍ନାଇପର ବୁଲେଟକୁ ପ୍ରତିରୋଧ କରିପାରୁଥିବା ବୁଲେଟ୍‌ ପ୍ରୁଫ୍‌ ଜ୍ୟାକେଟ୍‌। ଆଉ ଏହି ରକ୍ଷା କବଚ ପ୍ରସ୍ତୁତ କରିଛନ୍ତି ଭାରତୀୟ ସେନାର ଜଣେ ମେଜର।  ନିୟନ୍ତ୍ରଣ ରେଖାରେ ପାକିସ୍ତାନୀ ସେନାର ସ୍ନାଇପରକୁ ମାତ୍ ଦେବା ପାଇଁ ମେଜର ଅତ୍ୟନ୍ତ ସୁରକ୍ଷିତ ଜ୍ୟାକେଟ୍‌ ବିକଶିତ କରିଛନ୍ତି ।

ଭାରତୀୟ ସେନାର ମେଜର ଅନୁପ ମିଶ୍ର ‘ସର୍ବତ୍ର’ ନାମରେ ଏକ ବୁଲେଟ୍‌ ପ୍ରୁଫ୍‌ ଜାକେଟ୍‌ ବିକଶିତ କରିଛନ୍ତି। ଏହି ଜ୍ୟାକେଟଟି ଏତେ ସୁରକ୍ଷିତ ଯେ, ସ୍ନାଇପର ରାଇଫଲରୁ ଆସୁଥିବା ଶକ୍ତଶାଳୀ ଗୁଳି ମଧ୍ୟ ଏହାକୁ ଭେଦ କରି ପାରିବ ନାହିଁ।  ଫଳରେ ଗୁଳିମାଡ଼ ଖାଇଲେ ବି  ଯବାନଙ୍କ ଜୀବନ ରକ୍ଷା ହୋଇଯିବ। ଏହ‌ାକୁ ବିକଶିତ କରିଥିବା ମେଜର ଅନୁପ ମିଶ୍ର କହନ୍ତି,  ‘ସର୍ବତ୍ର’ ହେଉଛି ଏକ ଲେବଲ-୪ ବୁଲେଟ୍‌ ପ୍ରୁଫ୍‌ ଜ୍ୟାକେଟ୍‌ । ପୁନେର କଲେଜ ଅଫ୍‌ ଇଞ୍ଜିନିୟରିଂଠାରେ ଏହାକୁ  ବିକଶିତ କରାଯାଇଛି।

Maharashtra Today

ମେଜର ଅନୁପ ମିଶ୍ରଙ୍କ ଏହି ଉପଲବ୍ଧି ପାଇଁ ସେନାମୁଖ୍ୟ ବିପିନ୍‌ ରାୱତ ତାଙ୍କୁ ଆର୍ମି ଡିଜାଇନ୍‌ ବ୍ୟୁରୋ ଏକ୍ସିଲେନ୍‌ସ ପୁରସ୍କାର ପ୍ରଦାନ କରିଛନ୍ତି।  ବିଗତ କିଛି ମାସ ଧରି ନିୟନ୍ତ୍ରଣ ରେଖା ନିକଟରେ ଭାରତ ଏବଂ ପାକିସ୍ତାନ ବାରମ୍ବାର ମୁହାଁମୁହିଁ ହେଉଥିବା ବେଳେ ବହୁ ଯବାନ ସହିଦ ହୋଇଛନ୍ତି। ତେଣୁ ଏଭଳି ବୁଲେଟ୍‌ ପ୍ରୁଫ ଜ୍ୟାକେଟ୍‌ ଆଗାମୀ ଦିନରେ ସେନାର ଯବାନଙ୍କୁ ସ୍ନାଇପର ରାଇଫଲଠାରୁ ସୁରକ୍ଷା ପ୍ରଦାନ କରିବ ବୋଲି ଆଶା କରାଯାଉଛି।

ସମ୍ବନ୍ଧିତ ଖବର