ଅନନ୍ତନାଗ: ଆତଙ୍କବାଦୀଙ୍କ ଗୁଳିରେ ସେନା ମେଜର ଶହୀଦ୍‌; ୨ ଲସ୍କର ଆତଙ୍କବାଦୀ ନିପାତ

ଜମ୍ମୁ: ଜମ୍ମୁ- କଶ୍ମୀରର ଅନ୍ତନନାଗ ଠାରେ ଆଜି (ସୋମବାର) ସେନା ଯବାନ ଓ ଆତଙ୍କବାଦୀଙ୍କ ମଧ୍ୟରେ ଘଟିଥିବା ଏକ ଏନ୍‌କାଉଣ୍ଟରରେ ଜଣେ ସେନା ମେଜର ଶହୀଦ୍‌ ହୋଇଥିବା ବେଳେ ଦୁଇଜଣ ଆତଙ୍କବାଦୀ ନିପାତ ହୋଇଛନ୍ତି। ଏଥିସହ ସେନା ସୁରକ୍ଷା କର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଏହି ଗୁଳି ବିନିମୟରେ ଅନ୍ୟ ଦୁଇ ସେନା ଯବାନ ଗୁରୁତର ଭାବେ ଆହତ ହୋଇ ଏବେ ଚିକିତ୍ସାଧୀନ ଅଛନ୍ତି।

ସେନା ସୂତ୍ରରୁ ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ ଦକ୍ଷିଣ କଶ୍ମୀର ଅନ୍ତନାଗ ଜିଲ୍ଲାର ଆଛାବଲ ଅଞ୍ଚଳରେ କେତେକ ଆତଙ୍କବାଦୀ ଆତ୍ମଗୋପନ କରିଥିବା ନେଇ ଗୁଇନ୍ଦା ବିଭାଗ ପକ୍ଷରୁ ନିର୍ଦ୍ଦିଷ୍ଟ ସୂଚନା ମିଳିବା ପରେ ସେନା ବାହିନୀ ପକ୍ଷରୁ ସଂପୃକ୍ତ ଅଞ୍ଚଳକୁ ଘେରାବନ୍ଦୀ କରି ନିଆଯିବା ସହ ସୁରକ୍ଷା ବାହିନୀ ପକ୍ଷରୁ ତଲାସୀ ଅଭିଯାନ ଆରମ୍ଭ କଯାଇଥିଲା।

ଏହି ସମୟରେ ସେଠାରେ ଆତ୍ମଗୋପନ କରି ରହିଥିବା ଆତଙ୍କବାଦୀ ଓ ସେନା ଯବାନଙ୍କ ମଧ୍ୟରେ ଏନ୍‌କାଉଣ୍ଟର ହୋଇଥିଲା। ସେନା ଯବାନଙ୍କ ଗୁଳିରେ ଦୁଇଜଣ ଆତଙ୍କବାଦୀ ନିପାତ ହୋଇଥିଲେ। ଅନ୍ୟପକ୍ଷରେ ଆତଙ୍କବାଦୀଙ୍କ ଗୁଳିରେ ଜଣେ ସେନା ମେଜରଙ୍କ ସମେତ ଅନ୍ୟ ଦୁଇ ସେନା ଯବାନ ଗୁରୁତର ଭାବେ ଆହତ ହୋଇଥିଲେ। ସମସ୍ତ ଆହତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଆତଙ୍କବାଦୀଙ୍କ ଗୁଳିରେ ଆହତ ସେନା ମେଜର ଶହୀଦ୍‌ ହୋଇ ଯାଇଥିଲେ। ଅନ୍ୟ ଦୁଇ ଆହତ ସେନା ଯବାନ ଏବେ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ସେନା ଗୁଳିରେ ନିପାତ ହୋଇଥିବା ୨ ଆତଙ୍କବାଦୀ କୁଖ୍ୟାତ ଆତଙ୍କବାଦୀ ସଂଗଠନ ଲସ୍କର-ଇ- ତୋଏବାର ସଦସ୍ୟ ଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର