ଗୋଟିଏ ବର୍ଷରେ ଶୈଲଜାଙ୍କୁ ୩୦୦୦ ଭିଡିଓ କଲ୍‌ କରିଥିଲେ ମେଜର ନିଖିଲ ହାଣ୍ଡା; ବିବାହ ପ୍ରସ୍ତାବରେ ଅରାଜି ହେବାରୁ ଶୈଲଜାଙ୍କୁ ହତ୍ୟାକଲେ ନିଖିଲ

ନୂଆଦିଲ୍ଲୀ: ପରକୀୟା ପ୍ରେମରୁ ଭାରତୀୟ ସେନାର ଜନୈକ ମେଜରଙ୍କ ପତ୍ନୀଙ୍କୁ ଆଉ ଜଣେ ମେଜର ଗତ ଶନିବାର ଦିଲ୍ଲୀ କ୍ୟାଣ୍ଟନମେଣ୍ଟ ଅଞ୍ଚଳରେ ଅତି ନିର୍ମମ ଭାବେ ଗଳାକାଟି ହତ୍ୟା କରି ପୁଲିସ୍‌ ହାତରେ ଗିରଫ ହେବା ଘଟଣା ଏବେ ଦେଶବ୍ୟାପି ଚର୍ଚ୍ଚାର ବିଷୟ ପାଲଟିଛି। ତେବେ, ଏ ମାମଲାରେ ପୁଲିସ୍‌ର ତଦନ୍ତ ଯେତେ ଆଗଉଛି, ସେତେ ନୂଆ ତଥ୍ୟ ସାମନାକୁ ଆସୁଛି।

ପୁଲିସ୍‌ ତଦନ୍ତରୁ ଏଯାବତ୍‌ ଯାହା ଜଣାପଡ଼ିଛି, ମେଜର ଅମିତ୍‌ ଦ୍ୱିବେଦୀଙ୍କ ପତ୍ନୀ ଶୈଲଜାଙ୍କ ସହ ପରକୀୟା ପ୍ରେମରେ ଲିପ୍ତ ଥିଲେ ମେଜର ନିଖିଲ ହାଣ୍ଡା। ଉଭୟ ନିଖିଲ ଏବଂ ଅମିତ ପୂର୍ବରୁ ୨୦୧୫ରେ ନାଗାଲ୍ୟାଣ୍ଡର ଦିମାପୁରରେ ପୋଷ୍ଟିଂ ହୋଇଥିଲେ। ସେହି ସମୟରେ ଶୈଲଜା ଓ ନିଖିଲଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ୪୦ ବର୍ଷ ବୟସ୍କ ନିଖିଲ ମଧ୍ୟ ବିବାହିତ ଏବଂ ତାଙ୍କର ଦୁଇଜଣ ସନ୍ତାନ ମଧ୍ୟ ଅଛନ୍ତି। ଏହା ସତ୍ତ୍ୱେ ଶୈଲଜାଙ୍କୁ ବିବାହ କରିବା ପାଇଁ ପ୍ରସ୍ତାବ ମଧ୍ୟ ଦେଇଥିଲେ ନିଖିଲ। ତେବେ, ଅମିତଙ୍କର ଦିଲ୍ଲୀ ବଦଳି ହୋଇଯିବା ପରେ ଶୈଲଜା ସ୍ୱାମୀ ଅମିତଙ୍କ ସହିତ ଦିଲ୍ଲୀ ଚାଲି ଆସିଥିଲେ। ଏହା ପରେ ମଧ୍ୟ ଶୈଲଜା ଓ ନିଖିଲଙ୍କ ମଧ୍ୟରେ ପ୍ରେମ ଅବ୍ୟାହତ ରହିଥିଲା। ନିଖିଲ ଶୈଲଜାଙ୍କୁ ଏକ ଦାମୀ ମୋବାଇଲ୍‌ ଫୋନ୍‌ ଉପହାର ଦେଇଥିଲେ ଏବଂ ସେଇ ଫୋନ୍‌ରେ ଶୈଲଜାଙ୍କୁ ସବୁବେଳେ ଭିଡିଓ କଲ୍‌ କରୁଥିଲେ। ବର୍ଷକ ମଧ୍ୟରେ ନିଖିଳ ଶୈଲଜାଙ୍କୁ ୩୦୦୦ରୁ ଅଧିକ ମୋବାଇଲ୍‌ କଲ୍‌ କରିଥିବା ପୁଲିସ୍‌ ନିଖିଲଙ୍କ ମୋବାଇଲ୍‌ କଲ୍‌ ରେକର୍ଡ ଯାଞ୍ଚ କଲାପରେ ଜାଣିବାକୁ ପାଇଛି। ତବେ, ଶୈଲଜା ଥରେ ଭିଡିଓ କଲ୍‌ରେ ନିଖିଲଙ୍କ ସହ କଥା ହେଉଥିବା ବେଳେ ଅମିତଙ୍କ ହାତରେ ଧରାପଡ଼ିଥିଲେ। ଏହାପରେ ଶୈଲଜା ନିଖିଲଙ୍କୁ ଅଣଦେଖା କରିବାକୁ ଆରମ୍ଭ କରିବା ସହ ତାଙ୍କ ଫୋନ୍‌ କଲ୍‌କୁ ଆଉ ଧରୁ ନଥିଲେ।

ଏଥିରେ ଉତ୍ତ୍ୟକ୍ତ ହୋଇପଡ଼ିଥିଲେ ନିଖିଲ। ଏବଂ ଶନିବାର ସକାଳେ ଆସି ପହଞ୍ଚିଥିଲେ ଦିଲ୍ଲୀରେ ଶୈଲଜାଙ୍କୁ ଭେଟିବାକୁ। ଶୈଲଜା ଶନିବାର ସକାଳେ ଫିଜୋଥରାପି ପାଇଁ ଡାକ୍ତରଖାନା ଯାଇଥିବା ବେଳେ ନିଖିଳ ଶୈଲଜାଙ୍କ ନିକଟରେ ପହଞ୍ଚିଥିଲେ ଏବଂ ତାଙ୍କୁ ବିବାହ କରିବାକୁ ବାଧ୍ୟ କରିଥିଲେ। ହେଲେ, ଶୈଲଜା ନିଖିଲଙ୍କ ପ୍ରସ୍ତାବରେ ରାଜି ନହେବାରୁ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ପରେ ନିଖିଲ ନିଜ ସହ ଆଣିଥିବା ଛୁରୀରେ ଶୈଲଜାଙ୍କ ବେକକୁ କାଟି ତାଙ୍କୁ ହତ୍ୟା କରିବା ସହ ତାଙ୍କ ମୃତ ଦେହ ଉପରେ ଗାଡ଼ି ଚଲାଇ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିଲେ। ଶୈଲଜାଙ୍କୁ ହତ୍ୟା କଲା ପରେ ନିଖିଲ ତାଙ୍କ ଗାଡ଼ିରେ ଦିଲ୍ଲୀରୁ ଯାଇ ଉତ୍ତରପ୍ରଦେଶ ମିରଟର କ୍ୟାଣ୍ଟନମେଣ୍ଟରେ ଥିବା ଅଫିସର୍ସ ମେସ୍‌ରେ ଆତ୍ମଗୋପନ କରିଥିଲେ। ପରେ ସେଠାକୁ ସେ ତାଙ୍କ ଭାଇଙ୍କୁ ଡକାଇ ତାଙ୍କ ଠାରୁ ୨୦ ହଜାର ନେଇ ଫେରାର୍‌ ହୋଇଯିବାକୁ ବସିଥିବା ବେଳେ ଦିଲ୍ଲୀ ପୁଲିସ୍‌ ତାଙ୍କୁ ସେଠାରୁ ଗିରଫ କରିଥିଲେ।

ଶୈଲଜା ଜଣେ ମେଧାବୀ ଛାତ୍ରୀ ଓ ମଡେଲ ଥିଲେ। ଭୂଗୋଳରେ ସ୍ନାତକୋତ୍ତର ପାସ କରିଥିବା ଶୈଲଜା ଅର୍ବାନ୍‌ ପ୍ଲାନିଂରେ ଏମ୍‌.ଟେକ୍‌ ମଧ୍ୟ କରିଥିଲେ। ଅମୃତସରର ବାସିନ୍ଦା ଶୈଲଜା ଗୁରୁ ନାନକ ଦେବ ବିଶ୍ୱବିଦ୍ୟାଳୟରେ ୫ ବର୍ଷ ପାଇଁ ଅଧ୍ୟାପିକା ଭାବେ ମଧ୍ୟ କାର୍ଯ୍ୟ କରିଥିଲେ। ୨୦୦୯ରେ ମେଜର ଅମିତଙ୍କର ବିବାହ ହୋଇଥିଲା। ତାଙ୍କର ୬ ବର୍ଷ ବୟସ୍କ ଏକ ପୁତ୍ର ସନ୍ତାନ ମଧ୍ୟ ଅଛି।

ସମ୍ବନ୍ଧିତ ଖବର