ସେନାର ଏହି ଚର୍ଚ୍ଚିତ ମେଜରଙ୍କୁ ଯୁବତୀଙ୍କ ସହ ଶ୍ରୀନଗର ଏକ ହୋଟେଲରୁ ଉଦ୍ଧାର କଲା ପୁଲିସ୍‌

ଶ୍ରୀନଗର: ଭାରତୀୟ ସେନାର ଜନୈକ ଚର୍ଚ୍ଚିତ ମେଜରଙ୍କୁ ଜନୈକା ଯୁବତୀଙ୍କ ସହ ଶ୍ରୀନଗରର ଏକ ହୋଟେଲରୁ ଜମ୍ମୁ-କଶ୍ମୀର ପୁଲିସ୍‌ ଆଜି (ବୁଧବାର) ଉଦ୍ଧାର କରିବା ଘଟଣାକୁ କେନ୍ଦ୍ରକରି ଚର୍ଚ୍ଚା ଓ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଉଲ୍ଲେଖଯୋଗ୍ୟ, ୨୦୧୭ରେ ସେନାର ଏହି ଚର୍ଚ୍ଚିତ ମେଜର ଜଣକ ବଡ଼ଗାମ୍‌ ଜିଲ୍ଲାରେ ପଥର ଫିଙ୍ଗାଳିଙ୍କ କବଳରୁ ନିଜକୁ ଓ ନିଜ ସାଥୀମାନଙ୍କୁ ବଞ୍ଚାଇବାକୁ ଯାଇ ତାଙ୍କ ଗାଡ଼ିର ବନେଟରେ ଜନୈକ ସ୍ଥାନୀୟ ଲୋକକୁ ବାନ୍ଧି ସଫଳତାର ସହ ସେମାନଙ୍କ କବଳରୁ ଖସି ଆସିବାରେ ସମର୍ଥ ହୋଇଥିଲେ। ପରେ, ମେଜର ଜଣଙ୍କର ଏହି ଉପସ୍ଥିତ ବୁଦ୍ଧିମତ୍ତା ପାଇଁ ତାଙ୍କୁ ସବୁ ସ୍ତରରୁ ପ୍ରଶଂସା କରାଯିବା ସହ ପୁରସ୍କୃତ ମଧ୍ୟ କରାଯାଇଥିଲା। ତେବେ, ଶ୍ରୀନଗରର ଏକ ହୋଟେଲରୁ ସେନାର ଏହି ଚର୍ଚ୍ଚିତ ମେଜରଙ୍କୁ ଜନୈକା ଯୁବତୀଙ୍କ ସହ ଜମ୍ମୁ- କଶ୍ମୀର ପୁଲିସ୍‌ ଆଜି ଉଦ୍ଧାର କରିବା ପରେ ସେନାକୁ ହସ୍ତାନ୍ତର କରିଥିବା ଜାଣିବାକୁ ମିଳିଛି।

ଜମ୍ମୁ- କଶ୍ମୀର ପୁଲିସ୍‌ ସୂତ୍ରରୁ ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, ଆଜି ଦିନ ପ୍ରାୟ ୧୧ଟା ସମୟରେ ହୋଟେଲ ଗ୍ରାଣ୍ଡ ମମତାକୁ କିଛି ଲୋକ ଆସି ଜୋର ବାକ୍‌ବିତଣ୍ଡା କରୁଛନ୍ତି ବୋଲି ପୁଲିସ୍‌ ଥାନାକୁ ଫୋନ୍‌ କରି ଅଭିଯୋଗ କରା ଯାଇଥିଲା। ପରେ ଏକ ପୁଲିସ୍‌ ଦଳ ହୋଟେଲରେ ଯାଇ ପହଞ୍ଚିବା ପରେ ଦେଖିବାକୁ ପାଇଥିଲେ ଜନୈକା ମହିଳା (ନାମ ଗୋପନ ରଖାଯାଇଛି) ଏବଂ ସମୀର ଅହମ୍ମଦ ନାମକ ବଡ଼ଗାମ୍‌ର ଜନୈକ ବ୍ୟକ୍ତି ହୋଟେଲରେ ଅବସ୍ଥାନ କରିଥିବା ଜଣେ ଲୋକଙ୍କୁ ଦେଖା କରିବାକୁ ଆସିଥିଲେ। କିନ୍ତୁ ହୋଟେଲର ରିସେପ୍‌ସନ୍‌ରେ ଥିବା କର୍ମଚାରୀ ସେମାନଙ୍କୁ ସେହି ବ୍ୟକ୍ତିଙ୍କ ନିକଟକୁ ଛାଡ଼ୁ ନଥିଲେ। ପରେ ଜଣାପଡ଼ିଥିଲା ଯେ ସେଇ ହୋଟେଲରେ ଥିବା ସେନାର ସେଇ ଚର୍ଚ୍ଚିତ ମେଜରଙ୍କୁ ଭେଟିବାକୁ କୁଆଡ଼େ ମହିଳା ଜଣକ ଆସିଥିଲେ। ପରେ ସମସ୍ତଙ୍କୁ ଥାନାକୁ ଆଣିବା ସହ ପୁଲିସ୍‌ ସମସ୍ତଙ୍କର ବୟାନ ରେକର୍ଡ କରିଥିଲା।

ପରେ ଅନୁସନ୍ଧାନ କାଳରେ ପୁଲିସ୍‌ ଜାଣିବାକୁ ପାଇଥିଲା ଯେ ହୋଟେଲରୁ ଉଦ୍ଧାର ହୋଇଥିବା ସେନାର ମେଜର ଜଣକ ହେଉଛନ୍ତି, ସେଇ ଚର୍ଚ୍ଚିତ ମେଜର ଯିଏକି ବଡ଼ଗାମ୍‌ ଜିଲ୍ଲାରେ ପଥର ଫିଙ୍ଗାଳିଙ୍କ କବଳରୁ ନିଜକୁ ଓ ନିଜ ସାଥୀମାନଙ୍କୁ ବଞ୍ଚାଇବାକୁ ଯାଇ ତାଙ୍କ ଗାଡ଼ିର ବନେଟରେ ଜନୈକ ସ୍ଥାନୀୟ ଲୋକକୁ ବାନ୍ଧି ସଫଳତାର ସହ ସେମାନଙ୍କ କବଳରୁ ଖସି ଆସିବାରେ ସମର୍ଥ ହୋଇଥିଲେ। ତେବେ, ଏହା ଏକ ସମ୍ବେଦନଶୀଳ ପ୍ରସଙ୍ଗ ହୋଇଥିବା ଦୃଷ୍ଟିରୁ ପୁଲିସ୍‌ ଏବାବଦରେ ନିରବତା ଅବଲମ୍ବନ କରୁଛି। ଅନ୍ୟପକ୍ଷରେ ଏହା ଏକ ଗରୁତ୍ୱପୂର୍ଣ୍ଣ ବିଷୟ ଥିବା ଦୃଷ୍ଟିରୁ ସମଗ୍ର ଘଟଣା ଏକ ସ୍ପେଶାଲ ଇନ୍‌ଭେଷ୍ଟିଗେସନ୍‌ ଟିମ୍‌ (ଏସ୍‌ଆଇଟି) ଦ୍ୱାରା କରିବାକୁ ଜମ୍ମୁ- କଶ୍ମୀର ଆଇଜି ଏସ୍‌ପି ପାଣି ନିର୍ଦ୍ଦେଶ ଦେବା ସହ ଏସ୍‌ଆଇଟିର ମୁଖ୍ୟ ଭାବେ ଶ୍ରୀନଗର (ଉତ୍ତର)ର ଏସ୍‌ପିଙ୍କୁ ନିଯୁକ୍ତ କରିଛନ୍ତି।

ସମ୍ବନ୍ଧିତ ଖବର