ଗଲଓ୍ବାନ ସଂଘର୍ଷର ଅଜଣା କଥା : ଚୀନ ସୈନ୍ୟଙ୍କ ଚିକିତ୍ସା କରିଥିବା ଭାରତୀୟ ସେନା ଡାକ୍ତରଙ୍କୁ ଅପହରଣ ଓ ହତ୍ୟା କରିଥିଲା ପିଏଲଏ

ନୂଆଦିଲ୍ଲୀ : ୨୦୨୦ ଜୁନ ମାସରେ ହୋଇଥିବା ଗଲଓ୍ବାନ ସଂଘର୍ଷ ସଂପର୍କରେ କେତେକ ନୂଆ କଥା ଜଣାପଡ଼ିଛି । ଦୁଇ ସାମ୍ବାଦିକ ଶିବ ଅରୁର ଓ ରାହୁଲ ସିଂହଙ୍କ ଦ୍ବାରା ଲିଖିତ ଏକ ନୂଆ ବହି ‘ଇଣ୍ଡିଆସ ମୋଷ୍ଟ ଫିଅରଲେସ-୩’ ରେ ଭାରତୀୟ ସେନାର ବୀରତ୍ବ ଓ ଚୀନ ସେନାର ବର୍ବରତା ସଂପର୍କରେ କେତେକ ନୂଆ ଘଟଣାର ଅବତାରଣା କରାଯାଉଛି ।

ଏହି ପୁସ୍ତକରେ କୁହାଯାଇଛି ଯେ, ୨୦୨୦ ଜୁନ ୧୫ ରାତିରେ ଭାରତୀୟ ସେନା ଲଢିଥିଲା ଏକ ଅତ୍ୟନ୍ତ କଠିନ ସଂଘର୍ଷ । ଭାରତୀୟ ସେନା ସଂଖ୍ୟା ୪୦୦ରୁ କମ ଥିବାବେଳେ ଚୀନ ସେନା ସଂଖ୍ୟା ଥିଲା ତାହାର ୩ ଗୁଣ । ଏହା ସହିତ ଚୀନ ସେନା ପାଖରେ ଥିଲା କେତେକ ଅତ୍ୟାଧୁନିକ ଉପକରଣ ଓ ଉଜ୍ଜଳ ଫ୍ଲାସ ଲାଇଟ୍ ଓ ଲେଜର ଲାଇଟ । ଏଗୁଡ଼ିକୁ ବ୍ୟବହାର କରି ସେମାନେ ଭାରତୀୟ ଯବାନଙ୍କୁ କିଛି ସମୟ ପାଇଁ ଅନ୍ଧପ୍ରାୟ କରିଦେଉଥିଲେ । ଏହା ସତ୍ତ୍ବେ ଭାରତୀୟ ସେନା ଅତ୍ୟନ୍ତ ବୀରତ୍ବର ସହ ଲଢିଥିଲା ଓ ଚୀନ ସେନାକୁ ପଛଘୁଞ୍ଚା କରିବାକୁ ବାଧ୍ୟ କରିଥିଲା । ଏହି ସଂଘର୍ଷରେ ଭାରତୀୟ ସେନାର୨୦ ଯବାନ ବୀରଗତି ପ୍ରାପ୍ତ ହୋଇଥିବାବେଳେ ଚୀନର ମାତ୍ର ୪ ଜଣ ମରିଥିଲେ ବୋଲି ଚୀନ ସରକାର କହିଥିଲେ । କିନ୍ତୁ ପ୍ରକୃତରେ ଚୀନ ସେନାର ମୃତାହତଙ୍କ ସଂଖ୍ୟା ବହୁ ଅଧିକ ହୋଇଥିଲା । ଏତେ ସଂଖ୍ୟକ ଚୀନ ସୈନ୍ୟ ମରିଥିଲେ ଯେ, ସେମାନଙ୍କ ରକ୍ତରେ ଉକ୍ତ ଅଂଚଳ ଲାଲ ହୋଇଯାଇଥିଲେ ।

ଏହି ସଂଘର୍ଷରେ ଆହତ ଭାରତୀୟ ସେନାଙ୍କ ଚିକିତ୍ସା କରୁଥିଲେ ସେନା ଡାକ୍ତର ନାଏକ ଦୀପକ ସିଂ । ସେ କେବଳ  ଆହତ ଭାରତୀୟ ସୈନିକଙ୍କ ଚିକିତ୍ସା କରୁନଥିଲେ, ବରଂ ନିଜର ଡାକ୍ତର ଧର୍ମକୁ ପାଳନ କରିବାକୁ ଯାଇ ଆହତ ଚୀନ ସୈନ୍ୟଙ୍କୁ ମଧ୍ୟ ଚିକିତ୍ସା କରୁଥିଲେ । ଅନେକ ଚୀନ ସୈନ୍ୟଙ୍କ ମୃତଦେହ ଓ କେତେକ ଆହତ ଚୀନ ସୈନ୍ୟ ଭାରତୀୟ ସେନା କବଜାରେ ଥିଲେ । ଏହା ସତ୍ତ୍ବେ ଭାରତୀୟ ସେନା ଚୀନ ସୈନ୍ୟଙ୍କ ମୃତଦେହକୁ ଛୁଇଁନଥିଲେ । ଏହା ସହିତ ଦୀପକ ସିଂ ଆହତ ଚୀନ ସୈନ୍ୟଙ୍କ ମଧ୍ୟ ଚିକିତ୍ସା କରୁଥିଲେ । ଏହି ସମୟରେ ବିପୁଳ ସଂଖ୍ୟକ ଚୀନ ସୈନ୍ୟ ଆସି ତାଙ୍କୁ ଅପହରଣ କରିନେଇଥିଲେ ଓ ନିଜ ଆହତ ଯବାନଙ୍କ ଚିକିତ୍ସା କରାଇଥିଲେ । ସେଠାରେ ମଧ୍ୟ ସେ ନିଜର ଡାକ୍ତର ଧର୍ମକୁ ପାଳନ କରିଥିଲେ । କିନ୍ତୁ ନିଜର ଅସଲ ସ୍ବରୂପ ଦେଖାଇ, ଚୀନ ସୈନ୍ୟମାନେ ତାଙ୍କୁ  ନିର୍ମମଭାବେ ହତ୍ୟା କରିଥିଲେ ।

ସମ୍ବନ୍ଧିତ ଖବର