ମୁସାରଫ୍‌ ଦେଶଦ୍ରୋହୀ ନୁହନ୍ତି, ଫାଶୀ ଦଣ୍ଡାଦେଶକୁ ଖୋଲାଖୋଲି ବିରୋଧ କଲା ପାକିସ୍ତାନ ସେନା

ଇସ୍ଲାମାବାଦ : ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ଓ ସେନାଧ୍ୟକ୍ଷ ଜେନେରାଲ ପରେଭଜ ମୁସାରଫଙ୍କ ଫାଶୀ ଦଣ୍ଡାଦେଶକୁ ନେଇ ପାକିସ୍ତାନ ସେନାରେ ପ୍ରବଳ ଅସନ୍ତୋଷ ଦେଖାଦେଇଛି । ଏହି ରାୟକୁ ଖୋଲାଖୋଲି ନାପସନ୍ଦ କରିଛି ପାକିସ୍ତାନ ସେନା । ଠିକ ହେଲା ନାହିଁ ବୋଲି ପରୋକ୍ଷରେ ଧମକ ମଧ୍ୟ ଦେଇଛି ।

ପାକିସ୍ତାନ ସେନାର ଇଣ୍ଟର-ସର୍ଭିସ ପବ୍ଲିକ ରିଲେସନ୍ସର ମହାନିର୍ଦ୍ଦେଶକ ମେଜର ଜେନେରାଲ ଆସିଫ ଗଫୁର କହିଛନ୍ତି ଯେ  ସେନାର ଜଣେ ପୂର୍ବତନ ମୁଖ୍ୟ ଓ ପୂର୍ବତନ ରାଷ୍ଟ୍ରପତି, ଯିଏକି ଦୀର୍ଘ ୪୦ ବର୍ଷ ଧରି ଦେଶର ସେବା କରିଥିଲେ, ଦେଶରକ୍ଷା ପାଇଁ ଲଢିଥିଲେ, ସେ କେବେହେଲେ ଦେଶଦ୍ରୋହୀ ହୋଇପାରିବେ ନାହିଁ । ସ୍ୱତନ୍ତ୍ର କୋର୍ଟରେ ବିଚାର ବେଳେ କେତେକ ଆଇନଗତ ପ୍ରକ୍ରିୟା ପାଳନ କରାଯାଇନାହିଁ ଓ ମୁସାରଫଙ୍କୁ  ନିଜର ମତ ରଖିବାକୁ ସୁଯୋଗ ଦିଆଯାଇ ନାହିଁ ଏବଂ ତରବରିଆ ଭାବେ ମାମଲାର ବିଚାର କରାଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି । ପାକିସ୍ତାନ ସମ୍ବିଧାନ ଅନୁସାରେ ମୁସାରଫଙ୍କୁ ନ୍ୟାୟ ଦିଆଯାଉ ବୋଲି ସେ ଦାବି କରିଛନ୍ତି ।

ଆଜି  ପାକିସ୍ତାନର ଏକ ସ୍ୱତନ୍ତ୍ର କୋର୍ଟ ମୁସାରଫଙ୍କୁ ଦେଶଦ୍ରୋହ ଅପରାଧରେ ଦୋଷୀ ସାବ୍ୟସ୍ତ କରି ଫାଶୀ ଦଣ୍ଡାଦେଶ ଦେଇଛନ୍ତି । ପାକିସ୍ତାନ ଇତିହାସରେ ପ୍ରଥମ ଥର ପାଇଁ ଜଣେ ପୂର୍ବତନ ସେନାଧ୍ୟକ୍ଷଙ୍କୁ ଏକ ସ୍ୱତନ୍ତ୍ର କୋର୍ଟରେ ଫାଶୀ ଦଣ୍ଡାଦେଶ ହୋଇଛି । ଏହି ଦଣ୍ଡାଦେଶ ବେଳେ ମୁସାରଫ ଅଦାଲତରେ ଉପସ୍ଥିତ ନ ଥିଲେ କିମ୍ବା ପକ୍ଷ ରଖିବାର ସୁଯୋଗ ପାଇ ନ ଥିଲେ । ୨୦୧୬ରୁ ସେ ଦୁବାଇରେ ରହି ଚିକିତ୍ସିତ ହେଉଥିବା ସୂଚନା ରହିଛି।

ସମ୍ବନ୍ଧିତ ଖବର