ସେନାରେ ପୁଣି ଗୁପ୍ତଚର କାଣ୍ଡ : ପାକିସ୍ତାନୀ ଯୁବତୀକୁ ଗୋପନ ତଥ୍ୟ ଯୋଗାଇବା ଅଭିଯୋଗରେ ପିଅନ ଗିରଫ

ନୂଆଦିଲ୍ଲୀ : ଭାରତୀୟ ପ୍ରତିରକ୍ଷା ପ୍ରତିଷ୍ଠାନରେ ପୁଣି ଏକ ଗୁପ୍ତଚର କାଣ୍ଡ ଧରାପଡ଼ିଛି । ଯୋଧପୁରରେ ଥିବା ମିଲିଟାରୀ ଚିଫ ଇଂଜିନିୟର ଅଫିସରେ ପିଅନଭାବେ କାମ କରୁଥିବା ଜଣେ ବ୍ୟକ୍ତି ଜଣେ ପାକିସ୍ତାନୀ ଯୁବତୀଙ୍କ ପ୍ରେମରେ ପଡ଼ି ଗୁରୁତ୍ବପୂର୍ଣ୍ଣ ତଥ୍ୟ ଯୋଗାଉଥିବା ଜଣାପଡ଼ିଛି । ପୁଲିସ ଉକ୍ତ ବ୍ୟକ୍ତିକୁ ଗିରଫ କରିଛି ।

ରାମ ସିଂ ନାମକ ସଂପୃକ୍ତ ବ୍ୟକ୍ତିକୁ ରାଜସ୍ଥାନ ପୁଲିସ ଗିରଫ କରିଛି । ସେ ଗତ ଦୁଇ ମାସ ହେଲା ଜଣେ ରହସ୍ୟମୟୀ ପାକିସ୍ତାନୀ ଯୁବତୀଙ୍କ ସହ ହ୍ବାଟ୍ସଆପରେ ଚାଟିଂ କରୁଥିଲା ଓ ଅନେକ ଗୋପନ ତଥ୍ୟ ଯୋଗାଉଥିଲା । ସଂପୃକ୍ତ ଯୁବତୀ ତାକୁ ପ୍ରେମଜାଲରେ ଫସାଇ ଓ ବିବାହର ପ୍ରଲୋଭନ ଦେଇ ଏସବୁ ଗୋପନ ତଥ୍ୟ ହାସଲ କରୁଥିବା ଜଣାପଡ଼ିଛି । ଏପରିକି ରାମ ସିଂ ଉକ୍ତ ମିଲିଟାରୀ ଇଂଜିନିୟରିଂ ଅଫିସର କେତେକ ଗୋପନ ଚିତ୍ର ମଧ୍ୟ ହ୍ବାଟ୍ସଆପରେ ସେୟାର କରିଥିଲା । ସେ ନିଜର ମୋବାଇଲ ଫୋନରେ ଅଫିସର ବିଭିନ୍ନ ଗୋପନ ଫାଇଲ ଓ କାଗଜ ପତ୍ରର ଫଟୋ ଉଠାଇ ସଂପୃକ୍ତ ଯୁବତୀ ନିକଟକୁ ପଠାଉଥିଲା ବୋଲି ରାଜସ୍ଥାନର ପୁଲିସ ଡିଜି(ଗୁଇନ୍ଦା) ଉମେଶ ମିଶ୍ରା କହିଛନ୍ତି  ।

ଏହି ଘଟଣା ସହ ଓଡ଼ିଶାର ଚାନ୍ଦିପୁରଠାରେ ହୋଇଥିବା ଗୁପ୍ତଚରକାଣ୍ଡର ଅନେକ ସମାନତା ରହିଥିବା କୁହାଯାଉଛି ।

 

ସମ୍ବନ୍ଧିତ ଖବର