ସେନାକୁ ମିଳିଲା ଅତ୍ୟାଧୁନିକ ଅର୍ଜୁନ ଟ୍ୟାଙ୍କ୍‌

ଚେନ୍ନାଇ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ସଂପୂର୍ଣ୍ଣ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ନୂଆ ପିଢ଼ିର ଅତ୍ୟାଧୁନିକ ଅର୍ଜୁନ ଟ୍ୟାଙ୍କ୍‌ ସେନାକୁ ଅର୍ପଣ କରିଛନ୍ତି। ଚେନ୍ନାଇର ଜବାହରଲାଲ ନେହରୁ ଷ୍ଟାଡିୟମରେ ଅନୁଷ୍ଠିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସେନାମୁଖ୍ୟ ଏମ୍‌ଏମ୍‌ ନରବଣେଙ୍କୁ ପ୍ରଧାନମନ୍ତ୍ରୀ ଅର୍ଜୁନ ଟ୍ୟାଙ୍କ୍‌ (ଏମ୍‌-୧ଏ) ପ୍ରଦାନ କରିଥିଲେ। ଭାରତରେ ତିଆରି ହୋଇଥିବା ଏହି ଟ୍ୟାଙ୍କ୍‌କୁ ଡିଆର୍‌ଡିଓ ବିକାଶ କରିଛି। ପ୍ରଧାନମନ୍ତ୍ରୀ ଏହି ଅବସରରେ କହିଥିଲେ ଯେ ସେନାର ଆଧୁନିକୀକରଣ ଦିଗରେ ନିରନ୍ତର କାର୍ଯ୍ୟ ଚାଲିଛି। ଭାରତ ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭର ହେବା ପାଇଁ ଦ୍ରୁତ ଗତିରେ କାମ କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସ୍ବଦେଶୀ ଯୁଦ୍ଧ ବିମାନ ତେଜସ୍‌ର ସଫଳତା ପରେ ଏବେ ସ୍ବଦେଶୀ ଯୁଦ୍ଧ ଟ୍ୟାଙ୍କ ‘ଅର୍ଜୁନ’ ସେନାରେ ସାମିଲ ହୋଇଥିବାରୁ ଏହା ଏକ ବଡ଼ ସଫଳତା ବୋଲି କୁହାଯାଉଛି। ମୋଟ ୧୧୮ଟି ଅର୍ଜୁନ ଟ୍ୟାଙ୍କ ଆନୁଷ୍ଠାନିକ ଭାବେ ସେନାରେ ସାମିଲ ହୋଇଛି। ୮୪୦୦ କୋଟି ଟଙ୍କା ବ୍ୟୟରେ ଏହି ଟ୍ୟାଙ୍କ ନିର୍ମାଣ କରାଯାଇଥିବା ଡିଆର୍‌ଡିଓ ସୂତ୍ରରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର