ପୂର୍ବ ଲଦାଖରେ ଭାରତ ଓ ଚୀନ ମଧ୍ୟରେ ପୁଣି ସଂଘର୍ଷ ଖବରକୁ ଭାରତୀୟ ସେନାର ପ୍ରତ୍ୟାଖାନ, ସରକାରଙ୍କୁ ଟାର୍ଗେଟ୍ କଲେ ରାହୁଲ

ନୂଆଦିଲ୍ଲୀ : ପୂର୍ବ ଲଦାଖରେ ଚୀନ୍‌ର ପିଏଲ୍‌ଏ ଏବଂ ଭାରତୀୟ ସେନା ମଧ୍ୟରେ ପୁଣି ଏକ ସଂଘର୍ଷ ହୋଇଥିବା ଖବରକୁ ଖଣ୍ଡନ କରିଛି ଭାରତୀୟ ସେନା । ମିଥ୍ୟା ଓ ଭୁଲ ତଥ୍ୟ ଉପରେ ଖବରଟି ପର୍ୟ୍ୟବେସିତ ବୋଲି ସେନା କହିଛି ।

ଏକ ବିବୃତ୍ତିରେ ଭାରତୀୟ ସେନା କହିଛି ଯେ ପ୍ରକୃତ ନିୟନ୍ତ୍ରଣ ରେଖାରେ ଶାନ୍ତି ବଜାୟ ରଖିବାକୁ ଚୀନ୍ ସହିତ ହୋଇଥିବା ବୁଝାମଣା ଭୁଷୁଡ଼ି ପଡ଼ିଥିବା ଖବର ମିଥ୍ୟା ଏବଂ ଭିତ୍ତିହୀନ । ଚଳିତ ବର୍ଷ ଫେବ୍ରୁଆରିରେ ହୋଇଥିବା ବୁଝାମଣା ପରଠାରୁ ଉଭୟ ପକ୍ଷର ସେନା ସ୍ଥିତାବସ୍ଥାର ଉଲ୍ଲଙ୍ଘନ କରିନାହାନ୍ତି । ଅସମାହିତ ପ୍ରସଙ୍ଗଗୁଡ଼ିକର ସମାଧାନ ପାଇଁ ଉଭୟ ପକ୍ଷ ମଧ୍ୟରେ ଆଲୋଚନା ଜାରି ରହିଛି । ତେବେ ସୀମା ସେପଟେ ଥିବା ଚୀନ ସେନାଙ୍କ ଗତିବିଧି ଉପରେ ଭାରତୀୟ ସେନା ସତର୍କ ଦୃଷ୍ଟି ରଖିଛି ।

ସୂଚନାଯୋଗ୍ୟ ଯେ, ପୂର୍ବ ଲଦାଖରେ ପୁଣି ଭାରତ ଓ ଚୀନ ସେନା ମଧ୍ୟରେ ସଂଘର୍ଷ ହୋଇଥିବା ସମ୍ପର୍କିତ ଏକ ରିପୋର୍ଟ ଇଂରାଜୀ ଦୈନିକ ବିଜନେସ ଷ୍ଟାଣ୍ଡାର୍ଡରେ ପ୍ରକାଶ ପାଇଥିଲା । ଏହାକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧି ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଏକ ଟ୍ବିଟ୍ କରି ସେ ଲେଖିଛନ୍ତି ଯେ ବର୍ତ୍ତମାନର ସରକାର ନିଜର ରାଜନୈତିକ ଉଦ୍ଦେଶ୍ୟ ପାଇଁ ପ୍ରତିରକ୍ଷା ଓ ବିଦେଶନୀତିକୁ ବ୍ୟବହାର କରୁଛନ୍ତି । ଭାରତ ପୂର୍ବରୁ କେବେ ଏତେ ଦୁର୍ବଳ ହୋଇନଥିଲା ।

ସମ୍ବନ୍ଧିତ ଖବର