ପାକିସ୍ତାନର କ୍ବାଡକପ୍ଟରକୁ ଗୁଳିକରି ଖସାଇଲା ଭାରତୀୟ ସେନା

ନୂଆଦିଲ୍ଲୀ : ଜମ୍ମୁ ଓ କଶ୍ମୀର ସ୍ଥିତ ନିୟନ୍ତ୍ରଣ ରେଖା ନିକଟରେ ସଂଦେହଜନକଭାବେ ଉଡ଼ୁଥିବା  ପାକିସ୍ତାନର ଏକ କ୍ବାଡକପ୍ଟରକୁ ଭାରତୀୟ ସେନା ପକ୍ଷରୁ ଗୁଳି କରି ଖସାଇଦେଇଛି । ଏହି କ୍ବାଡକପ୍ଟରଟି ଚୀନ ନିର୍ମିତ ବୋଲି ଜଣାପଡ଼ିଛି ।

ସେନା ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ ଆଜି ସକାଳ ୮ଟା ସମୟରେ ଜମ୍ମୁ ଓ କଶ୍ମୀର ସ୍ଥିତ କେରନ ସେକ୍ଟର ନିକଟରେ ଥିବା ନିୟନ୍ତ୍ରଣ ରେଖା ନିକଟରେ ଉଡ଼ୁଥିବା ଏହି କ୍ବାଡକପ୍ଟରକୁ ସେନା ପକ୍ଷରୁ ଠାବ କରାଯାଇଥିଲା । ଏହାକୁ ତୁରନ୍ତ ଗୁଳି କରି ଖସାଇଦିଆଯାଇଥିଲା । ଏହି କ୍ବାଡକପ୍ଟରର ଭଗ୍ନାବଶେଷକୁ ଯାଞ୍ଚ କରି ଜଣାପଡ଼ିଛି ଯେ ଏହା ଚୀନର ଡିଜେଆଇ କମ୍ପାନି ପକ୍ଷରୁ ନିର୍ମାଣ କରାଯାଇଛି । ଏହା ଏକ ମାଭିକ-୨ ପ୍ରୋ ମଡେଲ ବୋଲି ଜଣାପଡ଼ିଛି ।

ସୂଚନାଯୋଗ୍ୟ ଯେ, ଭାରତରେ ଆକ୍ରମଣ ପାଇଁ ଆତଙ୍କବାଦୀମାନେ ଦିନକୁ ଦିନ ନୂଆ ନୂଆ ପ୍ରକାରର ତଥା ଅତ୍ୟାଧୁନିକ କୌଶଳ ବ୍ୟବହାର କରୁଥିବାରୁ ତାହା ଭାରତୀୟ ସେନା ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ବିଶେଷ କରି ଡ୍ରୋନ ବ୍ୟବହାର କରି ସୁରକ୍ଷା ବାହିନୀ ଉପରେ ବୋମା ଫିଙ୍ଗିବା କୌଶଳ ଆତଙ୍କବାଦୀମାନେ ଶିକ୍ଷା କରୁଛନ୍ତି । ଏହି ଚ୍ୟାଲେଞ୍ଜର ମୁକାବିଲା ଲାଗି ଭାରତୀୟ ସେନା ମଧ୍ୟ ନିଜକୁ ପ୍ରସ୍ତୁତ କରୁଛି । ଡ୍ରୋନକୁ କିପରି ଗୁଳି କରି ଖସାଇହେବ ସେ ନେଇ ଭାରତୀୟ ସେନାର ଯବାନମାନଙ୍କୁ ସ୍ୱତନ୍ତ୍ର ତାଲିମ ଦିଆଯାଉଛି ।

ସମ୍ବନ୍ଧିତ ଖବର