ନୂଆଦିଲ୍ଲୀ: ସିଆଚେନର ଥଣ୍ଡା ପବନ ମଧ୍ୟରେ ସାଥୀମାନଙ୍କୁ ବଞ୍ଚାଇବାକୁ ଯାଇ ପ୍ରାଣ ହରାଇଥିବା କ୍ୟାପଟେନ ଅଂଶୁମାନ ସିଂହଙ୍କୁ ନିକଟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମରଣୋତ୍ତର ଭାବେ କୀର୍ତ୍ତି ଚକ୍ର ପ୍ରଦାନ କରିଥିଲେ। ଅଂଶୁମାନଙ୍କ ପତ୍ନୀ ଶ୍ରୀମତୀ ସିଂହ ଓ ମା' କୀର୍ତ୍ତି ଚକ୍ର ଗ୍ରହଣ କରିବା ପାଇଁ ରାଷ୍ଟ୍ରପତି ଭବନରେ ପହଞ୍ଚିଥିଲେ। ଏବେ ଅଂଶୁମାନଙ୍କ ବାପା ମା' ଦାବି କରୁଛନ୍ତି ଯେ କୀର୍ତ୍ତି ଚକ୍ର ଓ ସେନା ଦେଇଥିବା ସମସ୍ତ କ୍ଷତିପୂରଣ ଟଙ୍କା ନେଇ ବୋହୂ ନିଜ ଘରକୁ ପଳାଇଯାଇଛନ୍ତି ଓ ସେମାନଙ୍କୁ କିଛି ମିଳିନାହିଁ । ଏବେ ଏହି ଘଟଣା ଉପରେ ସେନା ପକ୍ଷରୁ ଏକ ବୟାନ ଆସିଛି । ଏହି ବୟାନ ଆସିବା ପରେ ଘଟଣାରେ ନାଟକୀୟ ମୋଡ଼ ଆସିଛି ।
ସେନା ସୂତ୍ରରୁ ପ୍ରକାଶ ଯେ କ୍ୟାପଟେନ୍ ଅଂଶୁମାନଙ୍କ ପରିବାରକୁ ନିୟମ ଅନୁଯାୟୀ ପାଣ୍ଠି ଦିଆଯାଇଛି। ଆର୍ମି ଗ୍ରୁପ୍ ଇନସ୍ୟୁରାନ୍ସ ଫଣ୍ଡ (ଏଜିଆଇଏଫ୍) ଅଧୀନରେ ଅଂଶୁମାନଙ୍କ ପିତାମାତା ଓ ବୋହୂଙ୍କ ମଧ୍ୟରେ ୧ କୋଟି ଟଙ୍କା ସମାନ ଭାବରେ ବଣ୍ଟନ କରାଯାଇଛି। ଉଭୟଙ୍କୁ ୫୦ରୁ ୫୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ଏହାବ୍ୟତୀତ ଅଂଶୁମାନଙ୍କ ପରିବାରକୁ ମଧ୍ୟ ରାଜ୍ୟ ସରକାର ୫୦ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି। ସେଥିମଧ୍ୟରୁ ୧୫ ଲକ୍ଷ ଟଙ୍କା ପିତାମାତାଙ୍କୁ ଓ ୩୫ ଲକ୍ଷ ଟଙ୍କା ପତ୍ନୀଙ୍କୁ ଦିଆଯାଇଥିଲା।
ସରଳ ଭାଷାରେ କହିବାକୁ ଗଲେ ସହିଦ କ୍ୟାପଟେନ୍ ଅଂଶୁମାନ ସିଂହଙ୍କ ପତ୍ନୀଙ୍କୁ ଏପର୍ଯ୍ୟନ୍ତ ୮୫ ଲକ୍ଷ ଟଙ୍କା ମିଳିଛି। ସେହିପରି ତାଙ୍କ ପିତାମାତାଙ୍କୁ ମୋଟ ୬୫ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ଏହାଛଡ଼ା ପତ୍ନୀଙ୍କୁ ପେନସନ ମିଳିବ ।