ନୂଆଦିଲ୍ଲୀ : ଭାରତୀୟ ସେନା ଗୁରୁବାର ଦିନ ୪.୨୫ ଲକ୍ଷ ସିକ୍ୟୁବି କାର୍ବାଇନ୍ ଏବଂ ୪୭,୦୦୦ ରୁ ଅଧିକ ବୁଲେଟ ପ୍ରୁଫ୍ ଜ୍ୟାକେଟ୍ କ୍ରୟ ପାଇଁ ପ୍ରକ୍ରିୟା ଆରମ୍ଭ କରିଛି । ଏସବୁ କ୍ରୟ ପାଇଁ ଗତ ଜୁଲାଇରେ ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁମୋଦନ କରିଥିଲା ।

Advertisment

ଜୁଲାଇରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ନେତୃତ୍ୱରେ ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ (ଡିଏସି) ସେନା ପାଇଁ ସିକ୍ୟୁବି କାର୍ବାଇନ୍, ବୁଲେଟ ପ୍ରୁଫ ଜ୍ୟାକେଟ  ଓ ଆଉ କେତେକ ସାମରିକ ଉପକରଣ କିଣିବା ପାଇଁ ମୋଟ ୨୮,୦୦୦ କୋଟି ଟଙ୍କାର କ୍ରୟ ପ୍ରସ୍ତାବକୁ ଅନୁମୋଦନ କରିଥିଲା । ପଶ୍ଚିମ ଓ ଉତ୍ତର ସୀମାରେ ମୁତୟନ ଥିବା ସୈନ୍ୟମାନଙ୍କ ପାଇଁ ଏସବୁ ସାମଗ୍ରୀକୁ କ୍ରୟ କରାଯିବ । ସେନା ଏବେ ୯ଏମଏମ ବ୍ରିଟିଶ ଷ୍ଟର୍ଲିଂ ସବମେସିନ ଗନ ବ୍ୟବହାର କରୁଛି । କାର୍ବାଇନଗୁଡ଼ିକ ତା ବଦଳରେ ବ୍ୟବହାର କରାଯିବ ।

କାର୍ବାଇନ ଓ ବୁଲେଟ ପ୍ରୁଫ ଜ୍ୟାକେଟ ପାଇଁ ଦୁଇଟି ଅଲଗା ଅଲଗା ଆରଏଫଆଇ (ବିବରଣୀ ଆହ୍ବାନ) ଜାରି କରାଯାଇଛି । କାର୍ବାଇନକୁ ସଂପୂର୍ଣ୍ଣ ଭାବେ ଭାରତୀୟ ଭେଣ୍ଡରଙ୍କଠାରୁ କ୍ରୟ କରାଯିବ ଓ ସେଗୁଡ଼ିକର ରେଞ୍ଜ ଅତି କମରେ ୨୦୦ ମିଟର ଥିବ । ଅନ୍ୟପକ୍ଷରେ ବୁଲେଟପ୍ରୁଫ ଜ୍ୟାକେଟ  ଭାରତରେ ଡିଜାଇନ ଓ ଉତ୍ପାଦିତ ହୋଇଥିବା ଓ ସେଥିରେ ଅତି କମରେ ୬୦ ପ୍ରତିଶତ ସ୍ବଦେଶୀ ସାମଗ୍ରୀ ଥିବ ।