କରୋନାଭାଇରସ୍‌ ବ୍ୟାପୁଥିବାରୁ ୧୫୦୦ ଲୋକଙ୍କ ପାଇଁ ‘କ୍ୱାରେଣ୍ଟିନ୍‌ ସେଣ୍ଟର୍‌’ ଖୋଲିବ ସେନାବାହିନୀ

ନୂଆଦିଲ୍ଲୀ: କରୋନାଭାଇରସ୍‌ ବ୍ୟାପୁଥିବାରୁ ଦେଶର ବିଭିନ୍ନ ସ୍ଥାନରେ ୧୫୦୦ ଲୋକଙ୍କ ପାଇଁ ଭାରତୀୟ ସେନାବାହିନୀ ‘କ୍ୱାରେଣ୍ଟିନ୍‌ ସେଣ୍ଟର୍‌’ (ଭୂତାଣୁ ଆକ୍ରାନ୍ତଙ୍କୁ ପୃଥକ୍‌ କରି ରଖିବା କେନ୍ଦ୍ର) ସ୍ଥାପନ କରିବ। କରୋନାଭାଇରସ୍‌ ସଂକ୍ରମଣକୁ ନିୟନ୍ତ୍ରଣ କରିବାକୁ ଏହା ସରକାରଙ୍କର ଏକ ପଦକ୍ଷେପ ବୋଲି ଜଣାପଡ଼ିଛି। ଏହି କେନ୍ଦ୍ରଗୁଡ଼ିକ ଜୟସାଲମେର୍‌, ସୁରତଗଡ଼, ସିକନ୍ଦରାବାଦ, ଚେନ୍ନାଇ ଏବଂ କୋଲ୍‌କାତାରେ ଖୋଲିବ ବୋଲି ସରକାରୀ ଅଧିକାରୀମାନେ କହିଛନ୍ତି।

ଏହାଛଡ଼ା କରୋନାଭାଇରସ୍‌ ସଂକ୍ରମଣ ଏଡ଼ାଇବାକୁ ଜନଗହଳିପୂର୍ଣ୍ଣ ଅଞ୍ଚଳ, ସପିଙ୍ଗ୍‌ ମଲ୍‌, ସିନେମା ହଲ୍‌ ଆଦି ଅଞ୍ଚଳକୁ ନ ଯିବା ପାଇଁ ସେନାବାହିନୀର କର୍ମଚାରୀମାନଙ୍କୁ କୁହାଯାଇଛି। ଆବଶ୍ୟକ ସାମଗ୍ରୀ କ୍ରୟ ନିମନ୍ତେ ସେମାନେ କ୍ୟାଣ୍ଟନ୍‌ମେଣ୍ଟ୍‌ ଏବଂ ମିଲିଟାରି ଷ୍ଟେସନ୍‌ରେ ଥିବା ସପିଙ୍ଗ୍‌ କମ୍ପ୍ଲେକ୍ସ୍‍କୁ ଯାଆନ୍ତୁ ବୋଲି ପରାମର୍ଶ ଦିଆଯାଇଛି। ଜରୁରୀ ନ ପଡ଼ିଲେ ବିଦେଶଗସ୍ତ କରନ୍ତୁ ନାହିଁ ବୋଲି ମଧ୍ୟ ସେମାନଙ୍କୁ ନିର୍ଦେଶ ଦିଆଯାଇଛି।

Image Source: Swarajya

ଅନାବଶ୍ୟକ ଜନସମାଗମ ବାତିଲ କରାଇବାକୁ ଆଞ୍ଚଳିକ ସାମରିକ କର୍ତ୍ତୃପକ୍ଷମାନଙ୍କୁ ନିର୍ଦେଶ ଦିଆଯାଇଛି। କରୋନାଭାଇରସ୍‌ ସଂକ୍ରମିତଙ୍କ ନିମନ୍ତେ ପୃଥକ୍‌ ଓ୍ଵାର୍ଡ ଖୋଲିବାକୁ ମିଲିଟାରି ହସ୍‌ପିଟାଲ୍‌ଗୁଡ଼ିକୁ କୁହାଯାଇଛି।

ଭାରତୀୟ ବାୟୁସେନା ଲାଗି ମଧ୍ୟ କରୋନାଭାଇରସ୍‌ ସଂକ୍ରମଣ ଏଡ଼ାଇବା ନିମନ୍ତେ ଅନୁରୂପ ଗାଇଡ୍‌ଲାଇନ୍‌ ଜାରି କରାଯାଇଛି।

ସମ୍ବନ୍ଧିତ ଖବର