ଭାରତୀୟ ସେନାକୁ ମିଳିବ ୧୧୮ଟି ଅର୍ଜୁନ ଟ୍ୟାଙ୍କ, ପ୍ରତିରକ୍ଷା ମନ୍ତ୍ରାଳୟର ମଂଜୁରୀ

ନୂଆଦିଲ୍ଲୀ  : ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ବସିଥିବା ପ୍ରତିରକ୍ଷା କ୍ରୟ ପରିଷଦ (ଡିଏସି) ବୈଠକରେ ଭାରତୀୟ ସେନା ନିମନ୍ତେ ୧୧୮ଟି ଅର୍ଜୁନ ମାର୍କ ୧ଏ ଯୁଦ୍ଧ ଟ୍ୟାଙ୍କ ଖରିଦକୁ ଅନୁମୋଦନ ଦିଆଯାଇଛି । ଏଗୁଡ଼ିକର ମୋଟ ମୂଲ୍ୟ ପ୍ରାୟ ୬ ହଜାର କୋଟି ଟଙ୍କା ରହିବା ଅଟକଳ କରାଯାଉଛି ।

ପ୍ରତିରକ୍ଷା ମନ୍ତ୍ରାଳୟ ସୁତ୍ରରୁ ଜଣାପଡ଼ିଛି ଯେ ଡିଆରଡିଓ ଦ୍ବାରା ନିର୍ମିତ ଏସବୁ ଟ୍ୟାଙ୍କଗୁଡ଼ିକ ଚୁକ୍ତି ହେବାର ୩୦ ମାସ ମଧ୍ୟରେ ସେନାକୁ ହସ୍ତାନ୍ତର କରାଯିବ । ଏସବୁ ଟ୍ୟାଙ୍କଗୁଡ଼ିକର ଓଜନ ପ୍ରାୟ ୫୮ ଟନ ଓ ଏଗୁଡ଼ିକ ବିଭିନ୍ନ ପରିବେଶରେ ଘାତକ ପ୍ରଦର୍ଶନ କରିବାର କ୍ଷମତା ରଖନ୍ତି ।

ଆଜିର ବୈଠକରେ ଟ୍ୟାଙ୍କ ବିଧ୍ବଂସୀ ନାଗ କ୍ଷେପଣାସ୍ତ୍ର ଓ ଆରୁଧ୍ରା ରାଡାର ଖରିଦ ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଆହୁରି ମଧ୍ୟ ଭାରତୀୟ ନୌସେନା ନିମନ୍ତେ ୬ଟି  ମିସାଇଲ ଭେସେଲ (କ୍ଷେପଣାନ୍ତ୍ର ସଜ୍ଜିତ ଜାହାଜ) ଖରିଦ ପ୍ରସ୍ତାବକୁ ଅନୁମୋଦନ ଦିଆଯାଇଥିଲା । ଏସବୁ ଜାହାଜକୁ କୋଚିନ ସିପୟାର୍ଡ ପକ୍ଷରୁ ନିର୍ମାଣ କରାଯିବ । ଏହି ଖରିଦ ପାଇଁ ନୌସେନା ପକ୍ଷରୁ ଜାରି ଟେଣ୍ଡରରେ କୋଚିନ ସିପୟାର୍ଡ ସର୍ବନିମ୍ନ ବିଡର ଘୋଷିତ ହୋଇଛି ।

ଆଜି ଅନୁମୋଦନ ମିଳିଥିବା ସବୁ ଯୁଦ୍ଧାସ୍ତ୍ର ଆତ୍ମନିର୍ଭର ଭାରତ କାର୍ଯ୍ୟକ୍ରମ ଅଧିନରେ ଭାରତରେ ନିର୍ମାଣ କରାଯିବ ।

 

ସମ୍ବନ୍ଧିତ ଖବର