ସେନାକୁ ମିଳିବ ଏହି ଅତ୍ୟାଧୁନିକ ବୁଲେଟ-ପ୍ରୁଫ ଜ୍ୟାକେଟ୍‌, ଏକେ୪୭ ଗୁଳିକୁ ବି ଅଟକାଇ ଦେବ

ନୂଆଦିଲ୍ଲୀ : ଦେଶର ସେନା ପ୍ରାୟ ପ୍ରତିଦିନ ବିଭିନ୍ନ ପ୍ରକାରର ଅପରେସନ କରୁଛି । ସୀମାପାର ଆତଙ୍କବାଦୀ ଓ ପାକିସ୍ତାନ ସେନା ପକ୍ଷରୁ ପ୍ରତିଦିନ ଗୁଳି ବର୍ଷଣ ହେଉଛି । ଏହାଫଳରେ ନିୟମିତ ଭାବେ ଆମ ଜବାନ ମାନେ ସହିଦ କିମ୍ବା ଆହତ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ଭାରତ ସରକାର ଏକ ସ୍ୱତନ୍ତ୍ର ପ୍ରକାରର ବୁଲେଟ ପ୍ରୁଫ ଜ୍ୟାକେଟ୍‌ ସେନାକୁ ଯୋଗାଇବେ । ଏସବୁ ବୁଲେଟପ୍ରୁଫ ଜ୍ୟାକେଟକୁ ଡିଆରଡିଓ ଅଧିନସ୍ଥ ଡିଫେନ୍ସ ମ୍ୟାଟେରିଆଲ୍ସ ଏଣ୍ଡ ଷ୍ଟୋର୍ସ ରିସର୍ଚ୍ଚ ଏଣ୍ଡ ଡେଭଲପମେଣ୍ଟ ସେଣ୍ଟର ତରଫରୁ ପ୍ରସ୍ତୁତ କରାଯାଇଛି । ପ୍ରାୟ ୫ ବର୍ଷର ଗବେଷଣା ପରେ ଏହି ବୁଲେଟ ପ୍ରୁଫ ଜ୍ୟାକେଟ ପ୍ରସ୍ତୁତ କରାଯାଇଛି । ଏହି ବୁଲେଟପ୍ରୁଫ ଜ୍ୟାକେଟର ବିଶେଷତ୍ୱ ହେଉଛି ଏହା ପ୍ରାୟ ସବୁ ପ୍ରକାରର ଗୁଳିକୁ ଅଟକେଇ ପାରିବ । ଏପରିକି ଏକେ-୪୭ର ଗୁଳିକୁ ମଧ୍ୟ ଏହା ଅଟକାଇ ଦେବ । ଜଣେ ସୈନିକକୁ ୩୬୦ ଡିଗ୍ରୀ ସୁରକ୍ଷା ଦେଇପାରିବ । ଏହାର ଓଜନ ୧୦.୪ କିଲୋ ଓ ଏଥିରେ ଏକ ବୋରନ କାର୍ବାଇଡ ସେରାମିକ ପ୍ଲେଟ ଲାଗିଛି ଯାହାକୁ ଗୁଳିକୁ ସଫଳତାର ସହ ଅଟକାଇ ପାରିବ । ଏହା ଷ୍ଟିଲ ଗୁଳିକୁ ମଧ୍ୟ ଅଟକାଇ ଦେବ । ଏପରିକି ନିକଟରୁ ମରାଯାଇଥିବା ଗୁଳିକୁ ବି ଅଟକାଇ ଦେବ । ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୧ଲକ୍ଷ ଜ୍ୟାକେଟ ସେନାକୁ ମିଳିବ ।

ସମ୍ବନ୍ଧିତ ଖବର