ମଣିପୁରକୁ ଅଧିକ ସଂଖ୍ୟକ ଯବାନ ପଠାଇବାକୁ ସେନାର ଯୋଜନା  

ନୂଆଦିଲ୍ଲୀ :  ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁର ପୁଣି ଅଶାନ୍ତ ହୋଇଯାଇଥିବାରୁ ସେଠାରେ ସୈନ୍ୟ ସଂଖ୍ୟା ବଢାଇବାକୁ ଯୋଜନା କରୁଛି ଭାରତୀୟ ସେନା । ଏହା ସହିତ ନିଜର ସୈନ୍ୟ ମୁତୟନ ଢାଞ୍ଚା ଓ ରଣକୌଶଳ ବଦଳାଇବାକୁ ସେନା ଚିନ୍ତା କରୁଛି । କେବଳ ମଣିପୁର ନୁହେଁ, ଆସାମ, ଅରୁଣାଚଳପ୍ରଦେଶରେ ବି ସେନା ସମାଗମ ବୃଦ୍ଧି କରାଯିବ ।

ଉଗ୍ରବାଦୀ ସଂଗଠନଗୁଡ଼ିକ ଅଧିକ ଆକ୍ରମଣ ପାଇଁ ଯୋଜନା କରୁଥିବାରୁ ସେନା ଏହି ପଦକ୍ଷେପ ନେଇଛି ।  ଗୁଇନ୍ଦା ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ ସୁରକ୍ଷା ବାହିନୀ ଉପରେ ଆହୁରି ଅଧିକ ଆକ୍ରମଣ କରିବାକୁ ମଣିପୁରର ପିପୁଲ୍ସ ଲିବରେସନ ଆର୍ମି ବା ପିଏଲଏ ଯୋଜନା କରୁଛି । କେବଳ ଏତିକି ନୁହେଁ, ମଣିପୁରର ଆଉ କେତେକ ଉଗ୍ରବାଦୀ ସଂଗଠନ ଏନଏମପିଏଫ ଓ ପିପୁଲ୍ସ ରିଭୋଲ୍ୟୁସନାରୀ ପାର୍ଟି ଅଫ କାଙ୍ଗଲେଇପାକ ମଧ୍ୟ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର କରୁଛନ୍ତି ।

ମଣିପୁରରେ ଗତ ସପ୍ତାହରେ ହୋଇଥିବା ଏହି ଆତଙ୍କବାଦୀ ଆକ୍ରମଣ ପାଇଁ ମଣିପୁରର ପିପୁଲ୍ସ ଲିବରେସନ ଆର୍ମି (ପିଏଲଏ) ଓ ମଣିପୁର ନାଗା ପିପୁଲ୍ସ ଫ୍ରଣ୍ଟ ନିଜକୁ ଦାୟୀ କରିଥିଲା । ପିଏଲଏର ଏହି ଆତଙ୍କବାଦୀ ଆକ୍ରମଣରେ ଆସାମ ରାଇଫଲ୍ସର କମାଣ୍ଡିଂ ଅଫିସର ବିପ୍ଲବ ତ୍ରିପାଠୀ, ତାଙ୍କ ପତ୍ନୀ ଓ ୮ ବର୍ଷର ପୁଅ ସମେତ ମୋଟ ୭ ଜଣ ନିହତ ହୋଇଥିଲେ ।

ସମ୍ବନ୍ଧିତ ଖବର