ଶ୍ରୀନଗର: ଜମ୍ମୁ କଶ୍ମୀରରେ ଆଜି ଏକ ବଡ଼ ଅଘଟଣ ଘଟିଯାଇଛି। ସେନାର ଏକ ଟ୍ରକ୍ ଗଭୀର ଖାଇକୁ ଖସି ପଡ଼ିବା ଫଳରେ ୪ ଜଣ ଯବାନଙ୍କ ମୃତ୍ୟୁ ହୋଇଛି ଏବଂ ଜଣେ ଯବାନ ଗୁରୁତର ଆହତ ହୋଇଛନ୍ତି। ବାନ୍ଦିପୁରା ଜିଲ୍ଲାରେ ଆଜି ଅପରାହ୍ନ ପ୍ରାୟ ୨.୩୦ ସମୟରେ ଏହି ଦୁର୍ଘଟଣା ହୋଇଛି। ପ୍ରାଥମିକ ରିପୋର୍ଟରୁ ଜଣାପଡ଼ିଛି ଯେ ସେନା ଗାଡ଼ି ଏସ୍କେ ପାୟେନ ଅଞ୍ଚଳରେ ହଠାତ୍ ନୟନ୍ତ୍ରଣ ହରାଇ ରାସ୍ତା ଉପରୁ ଏକ ଗଭୀର ଖାଇକୁ ଖସି ପଡ଼ିଥିଲା। ଦୁର୍ଘଟଣାରେ ୫ ଜଣ ଯବାନ ଆହତ ହୋଇଥିଲେ। ସେମାନଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲକୁ ଚିକିତ୍ସା ପାଇଁ ନିଆଯାଇଥିଲା। ୨ ଜଣ ଯବାନଙ୍କର ହସ୍ପିଟାଲ୍ରେ ପହଞ୍ଚିବା ବେଳେ ମୃତ୍ୟୁ ହୋଇଯାଇଥିଲା। ଅନ୍ୟ ୩ ଜଣ ଯବାନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାବେଳେ ସେମାନଙ୍କୁ ସ୍ବତନ୍ତ୍ର ଚିକିତ୍ସା ପାଇଁ ଶ୍ରୀନଗର ନିଆଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ୨ ଜଣ ଯବାନଙ୍କର ମୃତ୍ୟୁ ହୋଇଛି। ଏଥିସହ ଘଟଣାରେ ମୋଟ୍ ମୃତ୍ୟୁସଂଖ୍ୟା ୪ରେ ପହଞ୍ଚିଛି।
ସେନାର ଚିନାର କର୍ପ୍ସ ଏକ୍ସରେ ଏକ ପୋଷ୍ଟ୍ କରି କହିଛି, ବାନ୍ଦିପୁରା ଜିଲ୍ଲାରେ ଡ୍ୟୁଟିରେ ଥିବାବେଳେ ଭାରତୀୟ ସେନାର ଏକ ଗାଡ଼ି ରାସ୍ତା ଉପରୁ ଗଭୀର ଖାଇକୁ ଖସି ପଡ଼ିଛି। କମ୍ ଦୃଶ୍ୟମାନତା ଯୋଗୁଁ ଏହି ଦୁର୍ଘଟଣା ହୋଇଥିବା ସେନା ପକ୍ଷରୁ କୁହାଯାଇଛି। ଦୁର୍ଘଟଣାରେ ୪ ଯବାନଙ୍କର ମୃତ୍ୟୁ ହୋଇଥିବା ସେନା ସ୍ପଷ୍ଟ କରିଛି। ଉଲ୍ଲେଖଯୋଗ୍ୟ, ଗତ ମଙ୍ଗଳବାର ସନ୍ଧ୍ୟାରେ ପୁଞ୍ଚ ଜିଲ୍ଲାରେ ନିୟନ୍ତ୍ରଣ ରେଖା ନିକଟରେ ସେନାର ଏକ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ୫ ଜଣ ଯବାନଙ୍କର ମୃତ୍ୟୁ ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/01/05/Bc24Glsy7aWvuDEo6dml.jpg)