ସେନାର ଚେତାବନୀ: କଶ୍ମୀରରେ ଯିଏ ବନ୍ଧୁକ ଉଠେଇବ, ମରିବ

ନୂଆଦିଲ୍ଲୀ: ପୁଲଵାମା ଆକ୍ରମଣର ମାଷ୍ଟରମାଇଣ୍ଡ୍ ଗାଜି ସମେତ ଅନ୍ୟ ଦୁଇ ସ୍ଥାନୀୟ ଆତଙ୍କବାଦୀଙ୍କୁ ନିପାତ କଲା ପରେ ସେମାନଙ୍କୁ ସମର୍ଥନ କରୁଥିବା କଶ୍ମୀରବାସୀଙ୍କୁ ସେନା ପକ୍ଷରୁ କଡ଼ା ଚେତାବନୀ ଦିଆଯାଇଛି। କୁହାଯାଇଛି ଯେ କଶ୍ମୀର ଉପତ୍ୟକାରେ ଶାନ୍ତି ଭଙ୍ଗ ପାଇଁ ସୁରକ୍ଷା କର୍ମୀଙ୍କ ବିରୋଧରେ ଯିଏ ବି ବନ୍ଧୁକ ଉଠେଇବ, ତାକୁ ନିପାତ କରାଯିବ। ଏଥି ସହିତ ମାଆମାନେ ସେମାନଙ୍କ ପୁଅମାନଙ୍କୁ ବନ୍ଧୁକ ଧରିବାରୁ ନିବୃତ୍ତ କରି ଘରକୁ ଫେରାଇ ଆଣିବାକୁ ସେନା ପକ୍ଷରୁ ନିବେଦନ କରାଯାଇଛି। ଅନ୍ୟଥା ପରିଣତି ଅକଳ୍ପନୀୟ ହେବ ବୋଲି ଆଜି ମିଳିତ ବାହିନୀ ପକ୍ଷରୁ ଆହୂତ ସାମ୍ବାଦିକ ସମ୍ମିଳନୀରେ କମାଣ୍ଡର ଜେନେରାଲ୍ କେଜେଏସ୍ ଧିଲନ ଚେତାବନୀ ଶୁଣାଇଛନ୍ତି। ଜେନେରାଲ ଧିଲନ୍ କହିଛନ୍ତି ଯେ, କଶ୍ମୀରୀ ସମାଜରେ ମାଆମାନଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ତେଣୁ ସେମାନେ ନିଜର ପଥଚ୍ୟୁତ ସନ୍ତାନମାନଙ୍କୁ ମୁଖ୍ୟସ୍ରୋତକୁ ଫେରାଇ ଆଣିବାକୁ ଚେଷ୍ଟା କରନ୍ତୁ।

 

ସେହି ଉଦଭ୍ରାନ୍ତ ଯୁବକମାନେ ଆତଙ୍କବାଦ ପରିହାର କରି ଆତ୍ମସମର୍ପଣ କରନ୍ତୁ। ତାହା ନକରି ଯିଏ ବନ୍ଧୁକ ଧରି ସଂହାର ରାସ୍ତା ବାଛିବ, ସେ ନିଜେ ହିଁ ସଂହାର ହୋଇଯିବ। ସେହିପରି ଗତ ସପ୍ତାହର ପୁଲଵାମା ଆକ୍ରମଣ ପଛରେ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସ୍ଆଇର ପ୍ରଚ୍ଛନ୍ନ ହାତ ଥିବା ଜେନେରାଲ ଧିଲନ୍ କହିଛନ୍ତି। ତେବେ ଏହାକୁ କାର୍ଯ୍ୟକାରୀ କରିଥିବା ଜୈସ-ଇ-ମହମ୍ମଦର ଶୀର୍ଷ କମାଣ୍ଡର ନିପାତ ହୋଇଛି। ତଥାପି ଯିଏ ବି ଆତଙ୍କବାଦ କାର୍ଯ୍ୟରେ ଲିପ୍ତ ରହିବ, ତାକୁ ନିପାତ କରିବା ଲାଗି ଆମ ଅଭିଯାନ ଜାରି ରହିବ। ଏପରି ମନ୍ଦ ଉଦ୍ଦେଶ୍ୟ ନେଇ କଶ୍ମୀରକୁ ଯିଏ ବି ପ୍ରବେଶ କରିବ, ସେ ଆଉ ଜୀବିତ ଫେରିବନି ବୋଲି ସେ ସତର୍କ କରାଇଦେଇଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଜେନେରାଲ୍ ଧିଲୋଁଙ୍କ ସମେତ କଶ୍ମୀର ପୁଲିସ୍ ଆଇଜି ଏସ୍. ପି. ପାଣି ଏବଂ ସିଆରପିଏଫ୍ ଆଇଜି ଜୁଲଫିକର ହସନ୍ ମଧ୍ୟ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର