ଦାର୍ଜିଲିଂରୁ ସେନା ପ୍ରତ୍ୟାହାର ହେବେନି

କୋଲକାତା : ଅସ୍ଥିର ହୋଇପଡ଼ିଥିବା ପଶ୍ଚିମବଙ୍ଗର ଦାର୍ଜିଲିଂ ଘାଟିରେ ମୁତୟନ ଥିବା କେନ୍ଦ୍ରୀୟ ବଳକୁ ସମ୍ପ୍ରତି ପ୍ରତ୍ୟାହାର ନ କରିବା ପାଇଁ କୋଲକାତା ହାଇକୋର୍ଟ ମଙ୍ଗଳବାର ନିର୍ଦ୍ଦେଶ କରିଛନ୍ତି। ଦାର୍ଜିଲିଂରେ ସମ୍ପ୍ରତି ନିୟୋଜିତ ଥିବା ୧୫ କମ୍ପାନି କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବଳ(ସିଏପିଏଫ୍‌)ରୁ ଗତ ରବିବାର ୧୦ କମ୍ପାନି ସିଏପିଏଫ୍‌ ପ୍ରତ୍ୟାହାର କରିନେବା ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟ ନିର୍ଦ୍ଦେଶ କରିଥିଲେ। ପୂଜା ସମୟରେ ଏହି ସୁରକ୍ଷା ବଳକୁ ଅନ୍ୟତ୍ର ବ୍ୟବହାର ପାଇଁ ଏପରି ପଦକ୍ଷେପ ନିଆଯାଉଥିବା ମନ୍ତ୍ରାଳୟ କହିଥିଲା। ତେବେ ଏଭଳି ସ୍ଥିତିରେ ଘାଟିରୁ ସେନା ପ୍ରତ୍ୟାହାର ରାଜନୈତିକ ଏବଂ ପ୍ରାଶାସନିକ ଦୃଷ୍ଟିକୁ ଭୁଲ୍‌ ନିଷ୍ପତ୍ତି ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦାବି କରି ଏହା ବିରୋଧରେ ଅଦାଲତର ଆଶ୍ରୟ ନେଇଥିଲେ। ଏଥି ସହିତ କେନ୍ଦ୍ରୀୟ ବଳର ନିୟୋଜନ ପୂର୍ବ ପରି ଦାର୍ଜିଲିଂରେ ଜାରି ରଖିବାକୁ ମଧ୍ୟ ମମତା ଗୃହମନ୍ତ୍ରା ରାଜନାଥ ସିଂ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅନୁରୋଧ କରିଥିଲେ। ତେବେ କୋଲକାତା ହାଇକୋର୍ଟ ଏହାକୁ ଗମ୍ଭୀରତାର ସହ ନେଇ ବଳ ପ୍ରତ୍ୟାହାର ଉପରେ ରୋକ ଲଗାଇଛନ୍ତି।

ସମ୍ବନ୍ଧିତ ଖବର