ନୂଆଦିଲ୍ଲୀ : ସିଆଚେନ ପରି ଲଦାଖରେ ମଧ୍ୟ ସାରା ବର୍ଷ ରହିବାକୁ ପ୍ରସ୍ତୁତି ଆରମ୍ଭ କରିଛି ଭାରତୀୟ ସେନା । ଏ ଅଂଚଳରେ ଚୀନ ସେନାର ଉପସ୍ଥିତି ଜାରି ରହିଥିବାରୁ ଭାରତୀୟ ସେନା ଲଦାଖର ବରଫାବୃତ ଦୁର୍ଗମ ଅଞ୍ଚଳରେ ନିଜର ନୂଆ ଛାଉଣି କରିବାକୁ ନିଷ୍ପତ୍ତି ନେଇଛି ।
ଏହାକୁ ଦୃଷ୍ଟିରେ ରଖି ଆମେରିକା, ଋଷିଆ ଓ ୟୁରୋପରେ ଥିବା ଭାରତୀୟ ଦୂତାବାସର ଡିଫେନ୍ସ ଆଟାଚେମାନଙ୍କୁ ଶୀତବସ୍ତ୍ର, ସ୍ନୋ ଗଗଲ୍ସ, ଓ ବରଫ ଟେଣ୍ଟ (ଇଗଲୁ),ବୁଟ ଓ ଗ୍ଲୋଭସ ଉତ୍ପାଦନକାରୀମାନଙ୍କ ତାଲିକା ପ୍ରସ୍ତୁତ କରିବାକୁ କୁହାଯାଇଛି । ଆବଶ୍ୟକ ପଡ଼ିଲେ ସେସବୁ କମ୍ପାନିଙ୍କ ଠାରୁ ଜରୁରୀକାଳୀନ ଭିତ୍ତିରେ ଏହି ସାମଗ୍ରୀ ଖରିଦ କରାଯିବ । ଏହା ସହିତ କେତେକ ଘରୋଇ ଉତ୍ପାଦନକାରୀଙ୍କୁ ମଧ୍ୟ ସରକାର ସୂଚୀତ କରିଛନ୍ତି ।
ଲଦାଖର ପେଙ୍ଗୟାଂ ସୋ ହ୍ରଦ ଅଞ୍ଚଳରେ ବର୍ଷର ଅଳ୍ପ କିଛି ମାସକୁ ଛାଡ଼ିଦେଲେ ଅଧିକାଂଶ ମାସରେ ବରଫ ପଡ଼ିଥାଏ । ଏ ଅଞ୍ଚଳରେ ଏବେ ବି ଚୀନ ସେନା ଥିବାରୁ ଭାରତ ମଧ୍ୟ ନିଜର ସୈନ୍ୟ ସଂଖ୍ୟା ବଢାଇଚାଲିଛି ଓ ସେଠାରେ ଶୀତଦିନେ ବି ରହିବାକୁ ନିଷ୍ପତ୍ତି ନେଇଛି ।
ତେବେ ଦୀର୍ଘଦିନ ଧରି ଲଦାଖର ଏହି ଅଞ୍ଚଳରେ ରହିବାକୁ ହେଲେ ଭାରତୀୟ ସେନାକୁ ସ୍ୱତନ୍ତ୍ର ଧରଣର ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସହ ସୁରକ୍ଷିତ ବାସସ୍ଥଳୀ ମଧ୍ୟ ଆବଶ୍ୟକ । ଏଥିପାଇଁ ସ୍ୱତନ୍ତ୍ର ଧରଣର ତମ୍ବୁ ଖରିଦ କରିବାକୁ ନିଷ୍ପତ୍ତି ନିଆଯାଇଛି । ସେନାକୁ ଦିଆଯାଇଥିବା ୫୦୦ କୋଟିର ଜରୁରୀକାଳୀନ ଆର୍ଥିକ କ୍ଷମତାକୁ ଉପଯୋଗ କରି ଏହି ଖରିଦ କରାଯିବ ।
ଶୀତଦିନେ ଲଦାଖରେ ରହିବ ଭାରତୀୟ ସେନା ; ବରଫ ତମ୍ବୁ, ଶୀତବସ୍ତ୍ର ଖରିଦ ପାଇଁ ନିଷ୍ପତ୍ତି
/sambad/media/post_attachments/wp-content/uploads/2020/08/igloo-1.jpg)