କୋର୍ଟ ଯଦି ବ୍ୟକ୍ତିଗତ ସ୍ବାଧୀନତାର ସୁରକ୍ଷା ନ କରିବେ, ତେବେ କିଏ କରିବ ? ଅର୍ଣ୍ଣବ ଗୋସ୍ବାମୀ ମାମଲାରେ ସୁପ୍ରିମକୋର୍ଟଙ୍କ ବିରକ୍ତି

ନୂଆଦିଲ୍ଲୀ : ରିପବ୍ଲିକ ଟିଭି ସଂପାଦକ ଅର୍ଣ୍ଣବ ଗୋସ୍ବାମୀଙ୍କ ଗିରଫଦାରି ଓ ବମ୍ବେ ହାଇକୋର୍ଟଙ୍କ ଦ୍ବାରା ଜାମିନ ନାମଞ୍ଜୁର ହେବା ପ୍ରସଙ୍ଗରେ ଆଜି ଭୀଷଣ ବିରକ୍ତି ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ ।

ଜଷ୍ଟିସ ଡି. ୱାଇ. ଚନ୍ଦ୍ରଚୂଡ଼ ଓ ଜଷ୍ଟିସ ଇନ୍ଦିରା ବାନାର୍ଜୀଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଯେ ଯଦି କୋର୍ଟ ବ୍ୟକ୍ତିଗତ ସ୍ବାଧୀନତାକୁ ରକ୍ଷା କରିବେ ନାହିଁ ତା’ହେଲେ କିଏ କରିବେ ? ଯଦି ଏକ ରାଜ୍ୟ ସରକାର ଜଣେ ବ୍ୟକ୍ତି ବିରୁଦ୍ଧରେ ଏପରି ଲାଗିବ ତେବେ ଆମକୁ ଏକ କଡ଼ା ସଂଦେଶ ଦେବାକୁ ହେବ ବୋଲି ମତ ରଖିଥିଲେ ସୁପ୍ରିମ କୋର୍ଟଙ୍କ ଖଣ୍ଡପୀଠ।

କୋର୍ଟ ମଧ୍ୟ ବମ୍ବେ ହାଇକୋର୍ଟଙ୍କୁ ଏକ କଡା ସଂଦେଶ ଦେଇଛନ୍ତି । ହାଇକୋର୍ଟ ନିଜ କ୍ଷମତାର ଉପଯୋଗ କରି ବ୍ୟକ୍ତିଗତ ସ୍ବାଧୀନତାର ରକ୍ଷା କରନ୍ତୁ ବୋଲି ଜଷ୍ଟିସ ଚନ୍ଦ୍ରଚୂଡ଼ କହିଛନ୍ତି । ସେ କହିଛନ୍ତି ଯେ ଏବେ ଗୋଟିଏ ଗୋଟିଏ ଟ୍ହିଟ ପାଇଁ ଲୋକଙ୍କୁ ଗିରଫ କରାଯାଉଛି ।

ବମ୍ବେ ହାଇକୋର୍ଟଙ୍କ ଦ୍ବାରା ଜାମିନ ନାମଞ୍ଜୁର ହେବା ପରେ  ମଙ୍ଗଳବାର ଦିନ  ଅର୍ଣ୍ଣବ ଗୋସ୍ବାମୀ ସୁପ୍ରିମ୍‌ କୋର୍ଟରେ ଆବେଦନ କରିଥିଲେ। ୨୦୧୮ ମସିହାର ଅନଭୟ ନାଏକ ଆତ୍ମହତ୍ୟା ମାମଲାର କାରଣ ହୋଇଥିବା ଅଭିଯୋଗରେ ଗିରଫ ଗୋସ୍ବାମୀ ମଧ୍ୟବର୍ତ୍ତୀକାଳୀନ ଜାମିନ ନିମନ୍ତେ ବମ୍ବେ ହାଇକୋର୍ଟରେ ଆବେଦନ କରିଥିଲେ।

ଜଷ୍ଟିସ ଚନ୍ଦ୍ରଚୂଡ଼ କହିଛନ୍ତି,  ଅଭିଯୁକ୍ତ  ଆତ୍ମହତ୍ୟା ପାଇଁ ଉସୁକାଇଥିଲେ ଆତ୍ମହତ୍ୟା ପାଇଁ ଉସୁକାଇବା ନେଇ ମାମଲା ରୁଜୁ ହେବା ଦରକାର। କିନ୍ତୁ ଯଦି କୌଣସି ବ୍ୟକ୍ତି ଉପରେ ଟଙ୍କା ବାକି ଅଛି, ତା’ହେଲେ କ’ଣ ସେଇଟା ଆତ୍ମହତ୍ୟା ପାଇଁ ଉସୁକାଇବା ହେବ? ଆର୍ଥିକ ଅବସ୍ଥା ଭଲ ନ ଥିବାରୁ  ଇଣ୍ଟେରିୟର୍‌ ଡିଜାଇନର୍‌ ଅନଭୟ ନାଏକ ଏବଂ ତାଙ୍କ ମା ଆତ୍ମହତ୍ୟା କରିଥିଲେ। ଏହା କ’ଣ ୩୦୬ଆଇପିସି ଧାରା ଅଧୀନରେ ଆସିବ କି ? ଆମ‌େ ଏଠାରେ ବ୍ୟକ୍ତିଗତ ସ୍ବତନ୍ତ୍ରତା ସହ କାମ କରୁଛୁ। କିନ୍ତୁ ଆର୍ଥିକ ଅବସ୍ଥା ଭଲ ନଥିବାରୁ ଆତ୍ମହତ୍ୟା କରିଥିବା ଲୋକ ପାଇଁ ଜଣଙ୍କୁ ନ୍ୟାୟିକ ହେପାଜତକୁ ନେବା ଠିକ କି? ଯଦି ଏତଲା ବିଚାରାଧୀନ ଥିବାବେଳେ ଜାମିନ ପ୍ରଦାନ ନ ହୁଏ ତେବେ ଏହା ନ୍ୟାୟ ପ୍ରତି ବିଶ୍ୱାସଘାତକତା ହେବ ବୋଲି କହିଥିଲେ ଜଷ୍ଟିସ ଚନ୍ଦ୍ରଚୂଡ଼।

ସେ ଆହୁରି ମଧ୍ୟ କହିଥିଲେ ଯେ, ଯଦି ଆମେ ସାମ୍ବିଧାନିକ ଅଦାଲତ ଭାବରେ ଆଇନ ପରିଚାଳନା କରିବୁ ନାହୁଁ ଏବଂ ସ୍ୱାଧୀନତାର ସୁରକ୍ଷା କରିବୁ ନାହୁଁ ତେବେ କିଏ କରିବ? ଜଣେ ନାଗରିକଙ୍କ ବ୍ୟକ୍ତିଗତ ସ୍ୱାଧୀନତା ରକ୍ଷା ପାଇଁ ହାଇକୋର୍ଟ ଏହାର ଅଧିକାରକୁ କାର୍ଯ୍ୟକାରୀ କରିବାରେ ବିଫଳ ହୋଇଥିବାରୁ ଜଷ୍ଟିସ୍ ଚନ୍ଦ୍ରଚୂଡ ନିରାଶ ହୋଇଛନ୍ତି।

ସମ୍ବନ୍ଧିତ ଖବର