ମୁମ୍ବାଇ: ଜଣେ ୫୩ ବର୍ଷୀୟ ଇଣ୍ଟେରିଅର ଡିଜାଇନର ଓ ତାଙ୍କ ମାଆଙ୍କୁ ୨୦୧୮ ମସିହାରେ ଆତ୍ମହତ୍ୟା କରିବାକୁ ବାଧ୍ୟ କରିଥିବା ଅଭିଯୋଗରେ ରିପବ୍ଲିକ୍‌ ଟିଭି ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ବାମୀଙ୍କ ସମେତ ତିନି ଜଣଙ୍କୁ ମହାରାଷ୍ଟ୍ରର ରାଇଗଡ଼ ପୁଲିସ ଗିରଫ କରିଛି। ଗିରଫ ହୋଇଥିବା ଅନ୍ୟ ଦୁଇ ଜଣ ଫିରୋଜ ସେଖ୍‌ ଓ ନୀତେଶ ସାରଦା ବୋଲି ଜଣାଯାଇଛି। ଅର୍ଣ୍ଣବଙ୍କୁ ଵର୍ଲି ସ୍ଥିତ ବାସଭବନରୁ, ଫିରୋଜ୍‌ଙ୍କୁ କାଣ୍ଡିଭାଲି ଓ ନୀତେଶଙ୍କୁ ଯୋଗେଶ୍ବରୀରୁ ଗିରଫ କରାଯାଇଛି। ସୂଚନାନୁଯାୟୀ, କନ୍‌କର୍ଡ ଡିଜାଇନ୍‌ ପ୍ରା.ଲି. ନାମକ ଏକ ଆର୍କିଟେକ୍ଟ ଫାର୍ମର ପରିଚାଳନା ନିର୍ଦ୍ଦେଶକ ଅନଭୟ ନାଏକଙ୍କର ଏକ ଷ୍ଟୁଡିଓ ନିର୍ମାଣ ବାବଦକୁ ଅର୍ଣ୍ଣବଙ୍କ ଠାରୁ ୮୩ ଲକ୍ଷ ଟଙ୍କା ପାଇବାକୁ ଥିଲା। ସେହିପରି ଅନ୍ୟ ଦୁଇଟି କମ୍ପାନି ଆଇକାଷ୍ଟ/ସ୍କାଇମିଡିଆ ଓ ସ୍ମାର୍ଟ ଵର୍କସ ମଧ୍ୟ ସେମାନଙ୍କ ବକେୟା ପରିଶୋଧ କରିନଥିଲେ। ଏହି ତିନି କମ୍ପାନି ମୋଟ ୫ କୋଟି ୪୦ ଲକ୍ଷ ଟଙ୍କା ବାକି ରଖିଥିଲେ।

Advertisment

ତେବେ ପରେ ଆଲିବାଗ୍‌ର କବୀର ଗ୍ରାମ ସ୍ଥିତ ନିଜ ଫାର୍ମହାଉସ୍‌ରେ ଅନଭୟ ଓ ତାଙ୍କ ମାଆ ଆତ୍ମହତ୍ୟା କରିଥିବା ଜଣାପଡ଼ିଥିଲା। ପୁଲିସ ସେଠାରୁ ଏକ ସୁଇସାଇଡ୍‌ ନୋଟ୍‌ ଉଦ୍ଧାର କରିଥିଲା ଯେଉଁଥିରେ ଅନଭୟ ସ୍ପଷ୍ଟ ଲେଖିଥିଲେ କି ଉପରୋକ୍ତ ତିନି କମ୍ପାନିରୁ ତାଙ୍କ ବକେୟା ନମିଳିବାରୁ ସେ ଓ ତାଙ୍କ ମାଆ ଆତ୍ମହତ୍ୟା ପରି ଚରମ ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇଥିଲେ। ଅନଭୟଙ୍କ ପତ୍ନୀ ଅକ୍ଷତଙ୍କ ଅଭିଯୋଗ କ୍ରମେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିଲା। ଆଜି ସକାଳ ପ୍ରାୟ ୬ଟା ବେଳେ ଵର୍ଲି ସ୍ଥିତ ଏକ କୋଠାର ସତର ମହଲାରେ ରହୁଥିବା ଅର୍ଣ୍ଣବଙ୍କୁ ପୁଲିସ ନାଟକୀୟ ଢଙ୍ଗରେ ଗିରଫ କରିଥିଲା। କିଛିଦିନ ତଳେ ଆକ୍ରମଣର ଶିକାର ହେବା ପରେ କେନ୍ଦ୍ର ସରକାରଙ୍କ ଦ୍ବାରା ଵାଇ-ପ୍ଲସ୍‌ ସୁରକ୍ଷା ବ୍ୟବସ୍ଥାରେ ଥିବା ଅର୍ଣ୍ଣବ ଏବଂ ତାଙ୍କ ପତ୍ନୀ ସାମ୍ୟବ୍ରତା ସକାଳେ ପୁଲିସ ଆସିବା ଖବର ପାଇ ନିଜ ବାସଭବନର ମୁଖ୍ୟ ଦ୍ବାର ଖୋଲିବାକୁ ଘଣ୍ଟାଏ କାଳ ଗଡ଼ାଇଦେଇଥିଲେ। ତେବେ ଅର୍ଣ୍ଣବ ଦ୍ବାର ଖୋଲୁ ଖୋଲୁ ତାଙ୍କ ପତ୍ନୀ ପରିସ୍ଥିତିର ଭିଡିଓ ରେକର୍ଡିଂ କରିବା ସହ ପୁଲିସ ତାଙ୍କୁ ଦୁର୍ବ୍ୟବହାର କରିଥିଲା ବୋଲି ଅଭିଯୋଗ ଆଣିଥିଲେ। ଅପରପକ୍ଷେ, ପୁଲିସ ଅର୍ଣ୍ଣବଙ୍କ ଗିରଫ ପରଵାନା ଚିଠି ଦେଖାଇବା ମାତ୍ରେ ସାମ୍ୟବ୍ରତା ତାହାକୁ ଚିରି ଦେଇଥିଲେ ବୋଲି ପୁଲିସ କହିଛି। ପରେ ପୁଲିସ ଅଧିକାରୀମାନେ ଅର୍ଣ୍ଣବଙ୍କୁ ସେଠାରୁ ଉଠାଇ ଆଣି ଆଲିବାଗ୍‌ ଥାନାରେ ହସ୍ତାନ୍ତର କରିଥିଲେ। ଅର୍ଣ୍ଣବଙ୍କ ଏପରି ଗିରଫଦାରି ରାଜ୍ୟ କ୍ଷମତାର ଘୋର ଅପବ୍ୟବହାର ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଥିବା ବେଳେ ଏହା ଗଣମାଧ୍ୟମ ସ୍ବାଧୀନତା ଉପରେ ଆକ୍ରମଣ ବୋଲି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡ଼େକର କହିଛନ୍ତି।