ଅର୍ନବ ଗୋସ୍ବାମୀଙ୍କୁ ଜେରା କରିବ ମୁମ୍ବାଇ ପୁଲିସ; ‘୩ ଚ୍ୟାନେଲ୍ ଟିଆର୍ପି କାରସାଦିରେ ସଂପୃକ୍ତ’
ମୁମ୍ବାଇ ପୁଲିସ ବିରୋଧରେ ଅପରାଧିକ ମାନହାନି ମାମଲା ରୁଜୁ କରିବ ରିପବ୍ଲିକ୍ ଟିଭି
ନୂଆଦିଲ୍ଲୀ: ରିପବ୍ଲିକ୍ ଟିଭି ଚ୍ୟାନେଲ୍ ସମେତ ୩ଟି ଟିଭି ଚ୍ୟାନେଲ୍ ଟିଆର୍ପି ଠକେଇରେ ସମ୍ପୃକ୍ତ ଏବଂ ସେମାନଙ୍କ ବିରୋଧରେ ତଦନ୍ତ ଆରମ୍ଭ ହୋଇଛି ବୋଲି ଆଜି ମୁମ୍ବାଇ ପୁଲିସ କମିସନର ପରମବୀର ସିଂହ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ଅର୍ନବ ଗୋସ୍ବାମୀ ମୁଖ୍ୟ ଥିବା ରିପବ୍ଲିକ୍ ଟିଭି ଏବଂ ଅନ୍ୟ ୨ ଟିଭି ଚ୍ୟାନେଲ୍ ଫକ୍ତ ମରାଠୀ ଏବଂ ବକ୍ସ ଚ୍ୟାନେଲ୍ ରେଟିଂରେ ହେରଫେର କରିଥିବା ପ୍ରମାଣ ରହିଛି। ଏଥିପାଇଁ ଉକ୍ତ ୩ ଚ୍ୟାନେଲ୍ ବାବଦରେ ଯାଞ୍ଚ କରାଯାଉଛି। ମୁମ୍ବାଇ ପୁଲିସର ଡିଟେକସନ୍ କ୍ରାଇମ୍ ବ୍ରାଞ୍ଚ୍ ଏହି ଟିଆର୍ପି ରୢାକେଟ୍ର ପର୍ଦ୍ଦାଫାସ କରିଛି ଏବଂ ଟିଆରପି ହେରଫେର କରିଥିବା ମାମଲାରେ ୨ ମରାଠୀ ଚ୍ୟାନେଲ୍ ମାଲିକଙ୍କୁ ଗିରଫ କରିଛି ବୋଲି ସିଂହ କହିଛନ୍ତି। ଫକ୍ତ ମରାଠୀ ଏବଂ ବକ୍ସ ଚ୍ୟାନେଲ୍ର ମାଲିକ ଟିଆର୍ପି ଠକେଇ ପାଇଁ ଗିରଫ ହୋଇଛନ୍ତି। ତେବେ ଏହି ମାମଲାରେ ଅର୍ନବ ଗୋସ୍ବାମୀଙ୍କୁ ଖୁବ୍ ଶୀଘ୍ର ସମନ୍ କରାଯିବ ବୋଲି ସେ କହିଛନ୍ତି।
ରୢାକେଟ୍ ସମ୍ପର୍କରେ ବୟାନ ରଖି ସିଂହ କହିଛନ୍ତି, ‘ହାନ୍ସା’ ନାମକ ଏକ ଅନୁଷ୍ଠାନ ଉକ୍ତ ଚ୍ୟାନେଲ୍ମାନଙ୍କୁ ଟିଆର୍ପି ହେରଫେର କରିବାରେ ସହଯୋଗ କରୁଥିଲା। ଟିଆର୍ପି ହେରଫେର ପାଇଁ ମୁମ୍ବାଇରେ ପ୍ରାୟ ୨ ହଜାର ବାରୋମିଟର ଲଗାଯାଇଥିଲା। କିଛି ଲୋକ ମଧ୍ୟ ଏହି ଚ୍ୟାନେଲ୍ ପକ୍ଷରୁ ଘରକୁ ଘର ବୁଲି ପ୍ରତିମାସରେ ଦର୍ଶକମାନଙ୍କୁ ଟିଆର୍ପି ବଢ଼ାଇବାପାଇଁ ଲାଞ୍ଚ ଆକାରରେ ଟଙ୍କା ଦିଅନ୍ତି। ଚ୍ୟାନେଲ୍କୁ ଲଗାତାର ଲଗାଇ ରଖିବାପାଇଁ ଦର୍ଶକଙ୍କୁ ଲାଞ୍ଚ ଦିଆଯାଇଛି। ଏହି ରୢାକେଟ୍ ଅଧୀନରେ କିଛି ଘରକୁ ପ୍ରତି ମାସରେ ୪୦୦-୫୦୦ ଟଙ୍କା ମିଳୁଥିଲା। ଅନେକ ଦର୍ଶକ ମଧ୍ୟ ଟଙ୍କା ପାଇଥିବା ସ୍ବୀକାର କରିଛନ୍ତି ବୋଲି ମୁମ୍ବାଇ ପୁଲିସ କହିଛି। ମୁମ୍ବାଇ ପୁଲିସ ଅନୁଯାୟୀ କିଛି ଘଟଣାରେ ମିଥ୍ୟା ଖବର ପ୍ରସାର ହେବା ଏବଂ ବିଶେଷ କରି ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ପ୍ରସାର ହୋଇଥିବା କିଛି ଖବରର ବିସ୍ତୃତ ଅନୁଶୀଳନର ଏକ ଅଂଶବିଶେଷ ହେଉଛି ଏହି ତଦନ୍ତ। ଏ ସଂକ୍ରାନ୍ତ ସୂଚନା କେନ୍ଦ୍ର ସରକାରଙ୍କୁ ମଧ୍ୟ ଦିଆସରିଛି ବୋଲି ସେ କହିଛନ୍ତି। ମୁମ୍ବାଇ ପୁଲିସ ମୁଖ୍ୟ କହିଛନ୍ତି, ଚ୍ୟାନେଲ୍ମାନଙ୍କର ବ୍ୟାଙ୍କ୍ ଆକାଉଣ୍ଟ୍ର ବି ତଦନ୍ତ ହେବ। ଆଗକୁ ଅଧିକରୁ ଅଧିକ ଚ୍ୟାନେଲ୍କୁ ତଦନ୍ତ ପରିସରକୁ ଅଣାଯିବ।
ମୁମ୍ବାଇ: ମୁମ୍ବାଇ ପୁଲିସ କମିସନର ପରମବୀର ସିଂହଙ୍କ ଦ୍ବାରା ହୋଇଥିବା ସାମ୍ବାଦିକ ସମ୍ମିଳନୀ ଏବଂ ଟିଆର୍ପି ହେରଫେର ଅଭିଯୋଗ ପ୍ରସଙ୍ଗରେ ଜବାବ ରଖି ରିପବ୍ଲିକ୍ ଟିଭି ଆଜି ଏକ ବିବୃତି ଜାରି କରିଛି। ରିପବ୍ଲିକ୍ ଟିଭି ପକ୍ଷରୁ ଜାରି ହୋଇଥିବା ବିବୃତିରେ କୁହାଯାଇଛି ଯେ, ମୁମ୍ବାଇ ପୁଲିସ ମିଥ୍ୟା ଅଭିଯୋଗ କରୁଛି। କାରଣ ଏହି ଚ୍ୟାନେଲ୍ ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମଲାରେ ମୁମ୍ବାଇ ପୁଲିସକୁ ପ୍ରଶ୍ନ କରିଥିଲା। ଏଥିସହ କିଛି ମାମଲାରେ ଉପରେ ରିପବ୍ଲିକ୍ ଟିଭି ଖବରର ଖବର ମୁମ୍ବାଇ ପୁଲିସକୁ ସୁହାଉ ନଥିବାରୁ ପୁଲିସ ଏଭଳି ମିଥ୍ୟା ଅଭିଯୋଗ ଆଣିଛି। ରିପବ୍ଲିକ୍ ଟିଭି ମୁମ୍ବାଇ ପୁଲିସ ବିରୋଧରେ ଏକ ଅପରାଧିକ ମାନହାନି ମାମଲା ରୁଜୁ କରିବ ବୋଲି କହିଛି। ସେହିପରି ରିପବ୍ଲିକ୍ ଟିଭି ପକ୍ଷରୁ ମୁମ୍ବାଇ ପୁଲିସ କମିସନର ପରମ ବୀର ସିଂହଙ୍କ ପାଖରୁ କ୍ଷମାପ୍ରାର୍ଥନା ଦାବି କରାଯାଇଛି।