ମୁମ୍ବାଇ: ଆତ୍ମହତ୍ୟା ପାଇଁ ଉସୁକାଇବା ମାମଲାରେ ରିପବ୍ଲିକ୍ ଟିଭି ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ବାମୀଙ୍କ ଅନ୍ତରୀଣ ଜାମିନ ଆବେଦନ ବମ୍ବେ ହାଇକୋର୍ଟରେ ଖାରଜ ହୋଇଯାଇଛି। ଅର୍ଣ୍ଣବ ଗୋସ୍ବାମୀ ଏବଂ ଅନ୍ୟ ୨ ଜଣ ତଥା ଫିରୋଜ୍ ଶେଖ ଏବଂ ନୀତିଶ ସାରଦା ଗତ ୪ ତାରିଖରେ ଆଲିବାଗ୍ ପୁଲିସ ଦ୍ବାରା ଗିରଫ ହୋଇଥିଲେ। ତେବେ ହାଇକୋର୍ଟ ଅର୍ଣ୍ଣବଙ୍କ ଅନ୍ତରୀଣ ଜାମିନ ଆବେଦନକୁ ଖାରଜ କରିବା ସହ କହିଛନ୍ତି, ସେ ଜିଲ୍ଲା କୋର୍ଟରେ ନିୟମିତ ଜାମିନ ପାଇଁ ଆବେଦନ କରିପାରିବେ।
ଏହି ଆବେଦନ ଉପରେ ୪ ଦିନ ମଧ୍ୟରେ ନିଷ୍ପତ୍ତି ନେବା ପାଇଁ ହାଇକୋର୍ଟ କହିଛନ୍ତି। ଅର୍ଣ୍ଣବ ମଧ୍ୟ ଆଜି ଆଲିବାଗ୍ ସେସନ୍ସ କୋର୍ଟରେ ନିୟମିତ ଜାମିନ ଆବେଦନ କରିଛନ୍ତି। ଅନ୍ୟପକ୍ଷରେ ଆଲିବାଗ ସିଜେଏମ ଅର୍ଣ୍ଣବଙ୍କୁ ରାଇଗଡ଼ ପୁଲିସ ଜେଲରେ ଦୈନିକ ୩ ଘଣ୍ଟା ଲେଖାଏଁ ଜେରା କରିପାରିବ ବୋଲି ଅନୁମତି ଦେଇଛନ୍ତି। ତେବେ ଅର୍ଣ୍ଣବଙ୍କୁ ଜେଲ୍ରେ ମାରଧର କରାଯାଉଥିବା ଅଭିଯୋଗ ପରେ ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋଶୟାରୀ ଆଜି ସକାଳେ ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ସହ ଫୋନ୍ରେ କଥା ହୋଇଛନ୍ତି ।
ନୂଆଦିଲ୍ଲୀ: ଅଭିନେତା ସୁଶାନ୍ତ ସିଂହ ରାଜପୁତ୍ ମୃତ୍ୟୁ ମାମଲାରେ ପରିବେଷଣ କରାଯାଇଥିବା ଆପତ୍ତିଜନକ ଖବରକୁ ନେଇ ଦିଲ୍ଲୀ ହାଇକୋର୍ଟ ଆଜି ରିପବ୍ଲିକ୍ ଟିଭି ସମେତ ଟାଇମ୍ସ ନାଓ ଏବଂ ସେମାନଙ୍କ ସମ୍ପାଦକ, ସାମ୍ବାଦିକମାନଙ୍କୁ ନୋଟିସ କରିଛନ୍ତି। ରିପବ୍ଲିକ୍ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ବାମୀ ଏବଂ ଟାଇମ୍ସ ନାଓର ସମ୍ପାଦକ ନବିକା କୁମାର ଏବଂ ଏହି ଦୁଇ ମିଡିଆ ଗ୍ରୁପ୍ର ସମ୍ପୃକ୍ତ ସାମ୍ବାଦିକଙ୍କୁ ନୋଟିସ କରିଛନ୍ତି। ସୁଶାନ୍ତ ସିଂହ ରାଜପୁତ୍ ମୃତ୍ୟୁ ମାମଲାରେ ଅତିରଞ୍ଜିତ ଖବର ପରିବେଷଣ ବିରୋଧରେ ୩୪ଟି ବଲିଉଡ୍ ପ୍ରଯୋଜନା ସଂସ୍ଥା ପକ୍ଷରୁ ଦିଲ୍ଲୀ ହାଇକୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଏହି ମିଡିଆ ହାଉସ୍ମାନେ ଖବର ପରିବେଷଣ କରିବାବେଳେ କେବୁଲ ଟିଭି ରେଗୁଲେସନ ଆକ୍ଟ ଏବଂ ପ୍ରୋଗ୍ରାମ୍ କୋଡ୍ ନିୟମ ମାନିଥିଲେ କି ନାହିଁ ବିଚାରପତି ରାଜୀବ ସକ୍ଧେର ପ୍ରଶ୍ନ କରିଛନ୍ତି।