ଅର୍ଣ୍ଣବ ଗୋସ୍ୱାମୀଙ୍କୁ ସୁପ୍ରିମକୋର୍ଟରେ ଆଶ୍ୱସ୍ତି, ୩ ସପ୍ତାହ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବ ନାହିଁ

ନୂଆଦିଲ୍ଲୀ : ଲାଇଭ ଟିଭିରେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ବିରୁଦ୍ଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ରିପବ୍ଲିକ ଟିଭି ମୁଖ୍ୟ ସଂପାଦକ ତଥା ବରିଷ୍ଠ ସାମ୍ବାଦିକ ଅର୍ଣବ ଗୋସ୍ୱାମୀଙ୍କୁ ତିନି ସପ୍ତାହ ପାଇଁ ସୁରକ୍ଷା ପ୍ରଦାନ କରିଛନ୍ତି । ଏହି ତିନିସପ୍ତାହ ମଧ୍ୟରେ ପୁଲିସ ତାଙ୍କୁ ଗିରଫ କରିପାରିବ ନାହିଁ ବୋଲି ଜଷ୍ଟିସ ଡିଓ୍ୱାଇ ଚନ୍ଦ୍ରଚୂଡ଼ ଓ ଜଷ୍ଟିସ ଏମ ଆର ଶାହାଙ୍କୁ ନେଇ ଗଠିତ ସୁପ୍ରିମକୋର୍ଟ ବେଞ୍ଚ୍ ନିର୍ଦ୍ଦେଶ ଦେଇଛନ୍ତି ।

ଏହି ମାମଲାରେ ବେଞ୍ଚ୍ କେନ୍ଦ୍ର ସରକାରଙ୍କ ସମେତ ମହାରାଷ୍ଟ୍ର, ଛତିଶଗଡ଼, ମଧ୍ୟପ୍ରଦେଶ, ରାଜସ୍ଥାନ, ତେଲେଙ୍ଗାନା ଓ ଜମ୍ମୁ ଓ କଶ୍ମୀର ସରକାରଙ୍କୁ ନୋଟିସ ଜାରି କରିଛନ୍ତି ।
ଏହା ସହିତ ଗୋସ୍ୱାମୀଙ୍କ ବିରୁଦ୍ଧରେ ଦେଶର ବିଭିନ୍ନ ସ୍ଥାନରେ ଦାଏର ମାନହାନୀ ମକଦ୍ଦମାଗୁଡ଼ିକ ଉପରେ କୋର୍ଟ ରୋକ ଲଗାଇଦେଇଛନ୍ତି । କେବଳ ନାଗପୁରର ସଦର ଥାନାରେ ଦାଏର ମାମଲାକୁ କାଏମ ରଖି ତାହାକୁ ମୁମ୍ବଇକୁ ପଠାଇଦେଇଛନ୍ତି । ମୁମ୍ବାଇରେ ହିଁ ଏହି ମାମଲାର ତଦନ୍ତ କରାଯିବ ।

ଅନ୍ୟପକ୍ଷରେ ବରିଷ୍ଠ ସାମ୍ବାଦିକ ଅର୍ଣବ ଗୋସ୍ୱାମୀଙ୍କୁ  ଓ ରିପବ୍ଲିକ ଟିଭି ଅଫିସକୁ ସୁରକ୍ଷା ଯୋଗାଇଦେବାକୁ ବେଞ୍ଚ୍ ମୁମ୍ବାଇ ପୁଲିସ କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ଗତ ୨୧ ତାରିଖରେ ରିପବ୍ଲିକ ଟିଭିରେ ପାଲଘରରେ ସଂଘଠିତ ଭିଡହିଂସା  ଘଟଣା ଉପରେ ଏକ ବିତର୍କ ଚାଲୁଥିବା ବେଳେ ସେ ସୋନିଆ ଗାନ୍ଧିଙ୍କ ସଂପର୍କରେ ମାନହାନୀ ହେଲାଭଳି ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଛି ।

ସମ୍ବନ୍ଧିତ ଖବର