ଲକ୍‌ଡାଉନ୍‌ ବୃଦ୍ଧି ଘୋଷଣା କରିବା ସହ ପୁଣି ଥରେ ‘ଆରୋଗ୍ୟ ସେତୁ’ କଥା ମନେ ପକାଇଦେଲେ ମୋଦୀ

ନୂୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରୋନା ଭାଇରସ୍‌ର ମୁକାବିଲା ପାଇଁ ପୂରା ଦେଶରେ ଲକ୍‌ଡାଉନ୍‌ର ସମୟ ଅବଧିକୁ ବୃଦ୍ଧି କରାଇ ମେ ୩ ତାରିଖ ପର୍ଯ୍ୟନ୍ତ କରିବା ସହ  ଦେଶବାସୀଙ୍କ ପାଇଁ ଲଞ୍ଚ୍‌ ହୋଇଥିବା ‘ଆରୋଗ୍ୟ ସେତୁ’ ସମସ୍ତେ ନିଜ ନିଜ ମୋବାଇଲ୍‌ରେ ଡାଉନ୍‌ଲୋଡ୍‌ କରନ୍ତୁ ବୋଲି କହିଛନ୍ତି।

ଦେଶବାସୀଙ୍କ ପାଇଁ ‘ଆରୋଗ୍ୟ ସେତୁ’ ଲଞ୍ଚ୍‌ କରି ଏକ ଟ୍ବିଟ୍‌ ଜରିଆରେ ଏହାକୁ ଦେଶବାସୀଙ୍କୁ ସେ ମଧ୍ୟ ଜଣାଇଥିଲେ। ଏପ୍ରିଲ୍‌ ୮ ତାରିଖରେ କରିଥିବା ଏହି ଟ୍ବିଟ୍‌ଟିକୁ ସେ ତାଙ୍କ ଆକାଉଣ୍ଟ୍‌ରେ ପିନ୍‌ କରି ରଖିଛନ୍ତି। ଆଜି ଲକ୍‌ଡାଉନ୍‌ ବୃଦ୍ଧି କରିବା ସହ ଏହି ଆପ୍‌ ବିଷୟରେ ପୁନଶ୍ଚ ମନେ ପକାଇ ଦେଇଛନ୍ତି।

ମ‌ୋଦୀ ଟ୍ବିଟ୍‌ କରି ଲେଖିଥିଲେ, ‘କରୋନା ମୁକାବିଲା କରିବା ପାଇଁ ଆରୋଗ୍ୟ ସେତୁ ହେଉଛି ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ। ଏହି ଉନ୍ନତ ମାନର କୌଶଳ ଦ୍ବାରା ଲୋକମାନଙ୍କୁ ସୂଚନା ପ୍ରଦାନ କରି ହେଉଛି। ଯେତେ ଅଧିକ ଲୋକ ଏହାକୁ ବ୍ୟବହାର କରିବେ ତାହାର ଗୁରୁତ୍ବ ଆହୁରି ବଢ଼ିବ। ଆପଣ ସମସ୍ତେ ଏହାକୁ ଡାଉନ୍‌ଲୋଡ୍‌ କରିଦିଅନ୍ତୁ।’

ଉଲ୍ଲେଖଯୋଗ୍ୟ, କରୋନା ଭାଇରସ୍‌କୁ ନେଇ ସଚେତନତା ବାର୍ତ୍ତା ଦେବା ପାଇଁ ପୂର୍ବରୁ କେନ୍ଦ୍ର ସରକାର ‘ମାଇଁଗଭ୍ଆପ୍‌’ ଲଞ୍ଚ୍‌ କରି ସାରିଥିବା ବେଳେ ଏବେ ଆଉ ଏକ ଆପ୍‌ ଲଞ୍ଚ୍‌ କରିଛନ୍ତି। କରୋନା ଭାଇରସ୍‌ ସଂପର୍କରେ ଲୋକଙ୍କୁ ‌ସଚେତନ କରାଇବା ପାଇଁ ଲଞ୍ଚ୍‌ ହୋଇଥିବା ଏହି ନୂଆ ଆପ୍‌ର ନାମ ‘ଆରୋଗ୍ୟ ସେତୁ’। ସ୍ମାର୍ଟଫୋନ୍‌ରେ ଏହି ଆପ୍‌ ରହିଲେ ଆଖପାଖରେ କେହି କରୋନା ଆକ୍ରାନ୍ତ ଅଛନ୍ତି କି ନାହିଁ ତାହା ଜଣାପଡ଼ିବ।

ସମ୍ବନ୍ଧିତ ଖବର