ନୂଆଦିଲ୍ଲୀ: ଭାରତ ଡ୍ରୋନ୍ ଟେକ୍ନୋଲୋଜିର ଏକ କେନ୍ଦ୍ରରେ ପରିଣତ ହେବ ଏବଂ ଆସନ୍ତା ବର୍ଷ ସୁଦ୍ଧା ଭାରତକୁ ଅତି କମରେ ଏକ ଲକ୍ଷ ଡ୍ରୋନ୍ ପାଇଲଟଙ୍କର ଆବଶ୍ୟକତା ପଡିବ ବୋଲି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂହ ଠାକୁର କହିଛନ୍ତି । ସେ ଆଜି ଚେନ୍ନାଇ ଠାରେ ‘ଡ୍ରୋନ୍ ଯାତ୍ରା ୨.୦’କୁ ଉଦଘାଟନ କରିବା ପରେ ଏହି ବକ୍ତବ୍ୟରେ ଏହି କଥା କହିଛନ୍ତି। ୨୦୨୩ ମସିହାରେ ଭାରତକୁ ଅତି କମରେ ଏକ ଲକ୍ଷ ପାଇଲଟଙ୍କର ଆବଶ୍ୟକତା ପଡିବ ଏବଂ ପ୍ରତ୍ୟେକ ପାଇଲଟ୍ ମାସକୁ ଅତି କମରେ ୫୦ - ୮୦ ହଜାର ଟଙ୍କା ରୋଜଗାର କରିବେ ବୋଲି ସେ ଘୋଷଣା କରିଛନ୍ତି।
ଟେକ୍ନୋଲୋଜି ପ୍ରକୃତରେ ଦ୍ରୁତ ଗତିରେ ବିଶ୍ୱକୁ ପରିବର୍ତ୍ତନ କରିବାରେ ଲାଗିଛି ଏବଂ ଏହା ପୂର୍ବ ଅପେକ୍ଷା ବର୍ତ୍ତମାନ ଅଧିକ ପ୍ରାସଙ୍ଗିକ ହୋଇ ପଡିଛି, କାରଣ ଏହାର ପ୍ରୟୋଗ ପୃଥିବୀର ଅନେକ ଜଟିଳ ସମସ୍ୟାର ସମାଧାନ କରୁଛି ବୋଲି ମନ୍ତ୍ରୀ ତାଙ୍କ ବକ୍ତବ୍ୟରେ କହିଛନ୍ତି । ଭାରତରେ ଡ୍ରୋନ୍ ଟେକ୍ନୋଲୋଜି କ୍ଷେତ୍ରରେ ହେଉଥିବା ଅଗ୍ରଗତି ବିଷୟରେ ବିସ୍ତୃତ ଭାବରେ ସେ ସୂଚନା ଦେଇ କହିଛନ୍ତି ଯେ , ବିଟିଂ ରିଟ୍ରିଟ୍ ସମୟରେ ଆଇଆଇଟିର ପୂର୍ବତନ ଛାତ୍ରମାନଙ୍କ ନେତୃତ୍ୱରେ ଭାରତୀୟ ଷ୍ଟାର୍ଟ - ଅପ୍ ‘ବୋଟ୍ଲ୍ୟାବ୍ ଡାଇନାମିକ୍ସ’ ଦ୍ୱାରା ୧୦୦୦ ଭାରତରେ ପ୍ରସ୍ତୁତ ଡ୍ରୋନର ଚମତ୍କାର ପ୍ରଦର୍ଶନ ଦ୍ୱାରା ସମଗ୍ର ଦେଶ ଆଶ୍ଚର୍ଯ୍ୟଚକିତ ହୋଇଥିଲା । ସ୍ୱାମିତ୍ୱ ଯୋଜନା (ଗ୍ରାମ ଗୁଡିକର ସର୍ଭେ ଏବଂ ଗ୍ରାମାଂଚଳରେ ଉନ୍ନତତର ଟେକ୍ନୋଲୋଜି ସହିତ ମ୍ୟାପିଂ)ର ଏକ ଅଂଶ ଭାବରେ ଗ୍ରାମ ଗୁଡିକରେ ଡ୍ରୋନ୍ ମାଧ୍ୟମରେ ଜମି ଏବଂ ଘର ଉପରେ ସର୍ଭେ ପ୍ରସ୍ତୁତ କରା ଯାଉଛି ବୋଲି ସେ କହିଛନ୍ତି । ଗ୍ରାମାଂଚଳର ଜମିରେ କୀଟନାଶକ ଏବଂ ନାନୋ ସାର ସିଂଚନ ପାଇଁ ଡ୍ରୋନକୁ ବହୁଳ ଭାବେ ବ୍ୟବହାର କରାଯାଉଛି ।
ସେ କହିଛନ୍ତି ଯେ, ନିକଟରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ (ଏମ୍ଓସିଏ) ଏବଂ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ଭାରତର ୨୦୨୧ର କ୍ରିକେଟ୍ ସିଜନରେ ଆକାଶ ମାର୍ଗରୁ ସିଧାପ୍ରସାରଣ ଲାଗି ସିନେମାଟୋଗ୍ରାଫି ନିମନ୍ତେ ଡ୍ରୋନ ନିୟୋଜନ ପାଇଁ କ୍ରିକେଟ୍ ବୋର୍ଡ ଅଫ୍ ଇଣ୍ଡିଆ (ବିସିସିଆଇ) କୁ ସର୍ତ୍ତମୂଳକ ରିହାତି ପ୍ରଦାନ କରିଥିଲେ ।
ଭାରତର ବୃହତ୍ତମ ଡ୍ରୋନ୍ ଉତ୍ପାଦନ ସଂସ୍ଥା ଗରୁଡ ଏରୋସ୍ପେସ୍ ଦ୍ୱାରା କରାଯାଇଥିବା ପ୍ରୟାସକୁ ସେ ପ୍ରଶଂସା କରିଥିଲେ । ଏହି ସଂସ୍ଥା ପରିଦର୍ଶନ କରିବା ସମୟରେ ମନ୍ତ୍ରୀ ଗରୁଡ କିଷାନ ଡ୍ରୋନର ଉନ୍ନତ ଉପକରଣ ଏବଂ ଉତ୍ପାଦନ ପ୍ରକ୍ରିୟାକୁ ମଧ୍ୟ ଦେଖିଥିଲେ, ଯାହାକୁ ପ୍ରଧାନମନ୍ତ୍ରୀ ମୋଦୀ ଚଳିତ ବର୍ଷ ଆରମ୍ଭ କରିଥିଲେ । ଏତେ କମ୍ ସମୟ ମଧ୍ୟରେ ଏହି ସଂସ୍ଥା ପାଇଥିବା ସଫଳତାକୁ ନେଇ ସେ ଖୁସି ବ୍ୟକ୍ତ କରିଥିଲେ । ଏହି ସଂସ୍ଥାରେ ଥିବା ଇଞ୍ଜିନିୟରମାନେ ଉନ୍ନତ ମାନର ‘ଭାରତରେ ପ୍ରସ୍ତୁତ’ ଡ୍ରୋନର କାର୍ଯ୍ୟ ବିଷୟରେ ମନ୍ତ୍ରୀଙ୍କୁ ବିସ୍ତୃତ ଭାବରେ ବୁଝାଇ ଥିଲେ ।
ପ୍ରତିରକ୍ଷା ଠାରୁ ଆରମ୍ଭ କରି କୃଷି ଏବଂ ସ୍ୱାସ୍ଥ୍ୟ ଏବଂ ମନୋରଞ୍ଜନ ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ର ପାଇଁ ଡ୍ରୋନ୍ ଟେକ୍ନୋଲୋଜି ଜରୁରୀ ବୋଲି ସେ କହିଛନ୍ତି । ପ୍ରଡକ୍ସନ୍ ଲିଙ୍କଡ୍ ଇନସେଂଟିଭ୍ (ପିଏଲ୍ଆଇ) ଭଳି ଯୋଜନା ମାଧ୍ୟମରେ ଦେଶରେ ଏକ ଶକ୍ତିଶାଳୀ ଡ୍ରୋନ୍ ଉତ୍ପାଦନ ପାରିବେଶିକ ବ୍ୟବସ୍ଥା ସୃଷ୍ଟି କରିବା ଦିଗରେ ମଧ୍ୟ ଭାରତ ଆଗକୁ ବଢ଼ୁଛି ବୋଲି ସେ ତାଙ୍କ ବକ୍ତବ୍ୟରେ ଉଲ୍ଲେଖ କରିଛନ୍ତି ।
ସେ କହିଛନ୍ତି ଯେ ମୋଦୀ ସରକାର ତିନିଟି ଗୁରୁତ୍ୱପୂର୍ଣ୍ଣ ଦୃଷ୍ଟିକୋଣ ମାଧ୍ୟମରେ ଅତ୍ୟାଧୁନିକ ଡ୍ରୋନ୍ ଟେକ୍ନୋଲୋଜି ଏବଂ ସେବା ଗୁଡିକର ଚାହିଦା ବୃଦ୍ଧି କରିବାକୁ ଚେଷ୍ଟା କରୁଛନ୍ତି । ପ୍ରଭାବଶାଳୀ ନୀତି ଗୁଡିକ ହେଉଛି ନୂତନ ଡ୍ରୋନ୍ ନିୟମ ୨୦୨୧ ; ଡ୍ରୋନ୍ ଏବଂ ଡ୍ରୋନ୍ ଉପାଦାନ ଗୁଡ଼ିକ ପାଇଁ ପିଏଲ୍ଆଇ ଆକାରରେ ପ୍ରୋତ୍ସାହନ ପ୍ରଦାନ କରିବା; ଏବଂ ସ୍ୱଦେଶୀ ଚାହିଦା ସୃଷ୍ଟି କରିବା ଯେଉଁଥିରେ କେନ୍ଦ୍ର ସରକାରଙ୍କ ୧୨ ଟି ମନ୍ତ୍ରଣାଳୟକୁ ଏହାକୁ ଆଗକୁ ନେବାକୁ ଦାୟିତ୍ୱ ଦିଆ ଯାଇଛି ।