ଶ୍ରୀନଗର: ସମଗ୍ର ବିଶ୍ବରେ କୋଟି କୋଟି ଜନତା ଆଜି ଅନ୍ତର୍ଜାତୀୟ ଯୋଗ ଦିବସ କାର୍ଯ୍ୟକ୍ରମରେ ସାମିଲ ହୋଇ ଯୋଗାଭ୍ୟାସ କରିଛନ୍ତି। କାଶ୍ମୀରର ଶ୍ରୀନଗରରେ ଦଶମ ଅନ୍ତର୍ଜାତୀୟ ଯୋଗ ଦିବସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ପାଳିତ ହୋଇଛି। ଡାଲ ହ୍ରଦ କୂଳରେ ଥିବା ଶେର-ଇ-କାଶ୍ମୀର ଅନ୍ତର୍ଜାତୀୟ ସମ୍ମିଳନୀ କେନ୍ଦ୍ର (ଏସ୍କେଆଇସିସି)ରେ ସକାଳ ସାଢ଼େ ୬ଟାରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ସହରରେ ପ୍ରବଳ ବର୍ଷା ଯୋଗୁଁ ବାଧାପ୍ରାପ୍ତ ହୋଇଥିଲା। ପରେ ଏହି କାର୍ଯ୍ୟକ୍ରମ ଘର ଭିତରେ କରାଯାଇଥିଲା। ବର୍ଷା ଥମିବା ପରେ ପ୍ରଧାନମନ୍ତ୍ରୀ ଡାଲ ହ୍ରଦରୁ ନିଜର ଫଟୋ ମଧ୍ୟ ସେୟାର କରିଥିଲେ।
ଚଳିତ ବର୍ଷ ଯୋଗ ଉତ୍ସବର ବିଷୟବସ୍ତୁ ଥିଲା ‘ନିଜ ପାଇଁ ଓ ସମାଜ ପାଇଁ ଯୋଗ’। ଉଭୟ ବ୍ୟକ୍ତିଗତ କଲ୍ୟାଣ ଏବଂ ସାମାଜିକ ସୌହାର୍ଦ୍ଦ୍ୟ ବଢ଼ାଇବାରେ ଯୋଗର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଏଥିରେ ଗୁରୁତ୍ୱାରୋପ କରାଯାଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଏକ ସଭାକୁ ସମ୍ବୋଧିତ କରି କହିଥିଲେ ଯେ ଏହି ଦିବସ ବିଶ୍ୱରେ ନୂତନ ରେକର୍ଡ ସୃଷ୍ଟି କରୁଛି। ସମଗ୍ର ବିଶ୍ୱରେ ଯୋଗାଭ୍ୟାସ କରୁଥିବା ଲୋକଙ୍କ ସଂଖ୍ୟା ବୃଦ୍ଧି ପାଉଛି। ପ୍ରଧାନମନ୍ତ୍ରୀ କହିଥିଲେ, ଅନ୍ତର୍ଜାତୀୟ ଯୋଗ ଦିବସ ୧୦ ବର୍ଷର ଐତିହାସିକ ଯାତ୍ରାକୁ ପୂରଣ କରିଛି। ୨୦୧୪ରେ ମୁଁ ଜାତିସଂଘରେ ଯୋଗ ଦିବସ ପାଇଁ ପ୍ରସ୍ତାବ ଦେଇଥିଲି। ଭାରତର ଏହି ପ୍ରସ୍ତାବକୁ ୧୭୭ଟି ଦେଶ ସମର୍ଥନ କରିଥିଲେ ଏବଂ ଏହା ସ୍ବୟଂ ଏକ ରେକର୍ଡ ଥିଲା। ସେବେଠାରୁ ଯୋଗ ଦିବସ ନୂଆ ନୂଆ ରେକର୍ଡ ସୃଷ୍ଟି କରୁଛି।
ବିଗତ ୧୦ ବର୍ଷ ମଧ୍ୟରେ ଯୋଗର ପ୍ରସାର ଏହାର ଧାରଣାକୁ ବଦଳାଇ ଦେଇଛି। ଆଜି ସାରା ବିଶ୍ୱ ଆଗକୁ ଏକ ନୂଆ ଯୋଗ ଅର୍ଥନୀତି ଦେଖୁଛି। ଭାରତରେ ଋଷିକେଶ ଓ କାଶୀଠାରୁ ଆରମ୍ଭ କରି କେରଳ ପର୍ଯ୍ୟନ୍ତ ଯୋଗ ପର୍ଯ୍ୟଟନର ଏକ ନୂଆ କାରଣ ହୋଇଛି। ସାରା ବିଶ୍ୱରୁ ପର୍ଯ୍ୟଟକମାନେ ଭାରତକୁ ଯୋଗ ଶିଖିବାକୁ ଆସୁଛନ୍ତି। ପ୍ରଧାନମନ୍ତ୍ରୀ ଫ୍ରାନ୍ସର ୧୦୧ ବର୍ଷୀୟ ଯୋଗ ଶିକ୍ଷୟିତ୍ରୀ ଚାର୍ଲୋଟ ଚୋପିନଙ୍କୁ ମଧ୍ୟ ମନେ ପକାଇଥିଲେ, ଯିଏ କି ଚଳିତ ବର୍ଷ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଥିଲେ।